ଅବକାରୀ ବିଭାଗ ଗାଡ଼ି ଧକ୍କାରେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ!

ସୋନପୁର: -ଅବକାରୀ ବିଭାଗ ଗାଡ଼ି ଧକ୍କାରେ ଜଣେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ଘଟିଛି! ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୁର୍ଲା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଏପରି ଦୁର୍ଘଟଣା ସମ୍ୱଲପୁର-ସୋନପୁର ରାଜ୍ୟ ରାଜପଥରେ ଘଟିଛି।

ରାଉରକେଲା ଅଞ୍ଚଳର ପ୍ରଦୀପ ମହାନ୍ତି(୫୨) ଓ ପ୍ରମୋଦ ପାଢ଼ୀ(୨୨) ଦୁଇ ଜଣ ଯୁବକ ସମ୍ୱଲପୁରରୁ ଏକ ସ୍କୁଟିରେ ଗଞ୍ଜେଇ ଧରି ସୋନ୍‌ପୁର ଅଭିମୁଖେ ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସମ୍ୱଲପୁର ଅବକାରୀ ବିଭାଗ ସ୍କୁଟିକୁ ପିଛା କରିଥିଲେ। ସ୍କୁଟିଟି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିଲା। ତେବେ ସମ୍ୱଲପୁର-ସୋନପୁର ରାଜ୍ୟ ରାଜପଥର କୁତପାଲି ନିକଟରେ ସ୍କୁଟିକୁ ଅବକାରୀ ବିଭାଗ ଗାଡ଼ି ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

ଉଭୟଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରମୋଦ ପାଢ଼ୀ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସ୍କୁଟି ଡିକିରୁ ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଥିଲା।

Leave a Reply

Your email address will not be published. Required fields are marked *