ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା,ଭିଜିଲାନ୍ସ ଇତିହାସରେ ଗୟା ହେଉଛନ୍ତି ଚତୁର୍ଥ ବ୍ୟକ୍ତି

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଯାହାଙ୍କ ଘରୁ ଏକକାଳୀନ ଏତେ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏମାନେ ସମସ୍ତେ ଚଳିତ ବର୍ଷ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

ଗତ ଫେବ୍ରୁଆରୀ ୧୬ ତାରିଖରେ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ) ସୁକାନ୍ତ ଜେନାଙ୍କ ଘରୁ ନଗଦ ୧ କୋଟି ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ମାର୍ଚ୍ଚ ୨୫ ତାରିଖରେ ମାଲକାନଗିରି ଆର୍‌ଡବ୍ଲ୍ୟୁ ଡିଭିଜନର ଏସ୍‌ଇ ଆଶିଷ କୁମାର ଦାସଙ୍କ ଘରୁ ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଭିଜିଲାନ୍ସ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରିଥିଲା।
ଗୟା ସାଁତରାଙ୍କ ଘରୁ ଆଜି ନଗଦ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସହିତ ୧ କେଜି ୮୩ ଗ୍ରାମର ସୁନା ଅଳଙ୍କାର ଓ ୬ କେଜି ୭୫୦ ଗ୍ରାମରୁ ଅଧିକ ଓଜନର ରୁପା ପାତ୍ର ଓ ଅଳଙ୍କାର ଜବତ କରିଛି ଭିଜିଲାନ୍ସ।

ସେହିଭଳି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକର ଯାଞ୍ଚ ଜାରି ରହିଛି। ଗତକାଲି ଚଢ଼ାଉ ବେଳେ ଗୟା ସାଁତରାଙ୍କର ୧୬ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଥିଲା। ସେଥିରୁ କେବଳ ୪ଟି ଆକାଉଣ୍ଟରେ ୪ କୋଟି ୧୯ଲକ୍ଷ ଟଙ୍କା ଥିଲା। ବାକି ୧୨ଟି ଆକାଉଣ୍ଟର ଯାଞ୍ଚ ଜାରି ରହିଛି। ସେହିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସିଲା, ଘରେ ସେ କୋଟିଏରୁ ଅଧିକ ପରିମାଣର ନଗଦ ଟଙ୍କା କାହିଁକି ରଖିଥିଲେ ଓ ଏହି ଟଙ୍କା ସେ କେଉଁଠୁ ଆଣିଥିଲେ, ସେ ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ। ତା’ ସହିତ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ବିଷୟରେ ମଧ୍ୟ ପଚରାଉଚରା କରୁଛି। ଗୟା ସାଁତରାଙ୍କର ୧୩ଟି ପ୍ଲଟ୍ ଅଛି। ସେଥିରୁ କେବଳ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ୭ଟି ରହିଛି। ବାକି ୬ଟିରୁ ୫ଟି ଯାଜପୁରରେ ଓ ଗୋଟିଏ ନୟାଗଡ଼ରେ ଅଛି। ଭୁବନେଶ୍ୱରରେ ତାଙ୍କର ୨ଟି ବହୁତଳ କୋଠା ଠାବ କରାଯାଇଥିବା ବେଳେ ୨ଟି ଚାରି ଚକିଆ ଓ ୪ଟି ଦୁଇ ଚକିଆ ଗାଡ଼ି ରହିଛି।

Leave a Reply

Your email address will not be published. Required fields are marked *