ଫରେଷ୍ଟ ରେଞ୍ଜ ଅଫିସରଙ୍କ ୨.୪୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର :-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ବୁଧବାର କଳାହାଣ୍ଡି ଜିଲ୍ଲା କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ମୋଟ ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ୨.୪୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ତା’ ମଧ୍ୟରା ଏକ ତିନି ମହଲା ଘର ରହିଛି। ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୪ଟି ଟିମ୍ କେଶବ ମାଝୀଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଓମ ନଗର ସ୍ଥିତି ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଥିବା ତାଙ୍କ ପୈତୃକ ଘର, କେ. ଗାଁର ସରକାରୀ ବାସଭବନ ଓ ଅଫିସ୍‌ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଥିଲେ।

ଭିଜିଲାନ୍ସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେସିଙ୍ଗା ସ୍ଥିତ ତାଙ୍କ ତିନି ମହଲା ଘରର ଦାମ୍‌ ୧.୧୮ କୋଟି ଟଙ୍କାରୁ ଅଧିକ ହେବ। କେସିଙ୍ଗା ଓ ଏହା ଆଖପାଖ ଅଞ୍ଚଳରେ କେଶବଙ୍କର ୪ଟି ପ୍ଲଟ୍ ରହିଛି, ଯେଉଁଗୁଡ଼ିକର ଆରଏସ୍‌ଡି ମୂଲ୍ୟ ୨୮.୮୯ ଲକ୍ଷ ଟଙ୍କା। ତେବେ ଏହାର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ। ଏନେଇ ଅଧିକ ତଦନ୍ତ ଚାଲିଛି।

କେଶବଙ୍କ ଠାରୁ ନଗଦ ୨ ଲକ୍ଷ ୭୮ ହଜାର ୬୪୦ ଟଙ୍କା ଜବତ କରାଯାଇଛି। ଏହାବାଦ୍ ତାଙ୍କର ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି। ତାଙ୍କ ଘରୁ ଜବତ ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ୧୫.୬୮ ଲକ୍ଷ ଟଙ୍କା। ତାଙ୍କର ୨ଟି ଚାରି ଚକିଆ ଗାଡ଼ି ଥିବା ବେଳେ ସେଗୁଡ଼ିକର ଦାମ ୨୬.୧୫ ଲକ୍ଷ ଟଙ୍କା ହେବ। ଦୁଇଟି ଦୁଇ ଚକିଆ ଯାନର ଦାମ ୩.୨୩ ଲକ୍ଷରୁ ଅଧିକ ଟଙ୍କା। ଏହା ସହିତ ଘରର ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୧୩.୦୪ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍ସ ପକ୍ଷରୁ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କୁ ଅଟକ ରଖାଯାଇ ସେ ଏତେ ସମ୍ପିତ୍ତି କେମିତି ଉପାର୍ଜନ କଲେ, ସେ ନେଇ ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *