୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରାଯାଇଛି

ଭୁବନେଶ୍ୱର:- ଶିଶୁ ଭବନ ଛକ ନିକଟସ୍ଥ ଏକ ହୋର୍ଡିଂ ଉପରୁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ ନିଆଯାଇଛି। ସେଠାରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।bମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ମସିହାରେ ରାଉରକେଲା ଗସ୍ତରେ ଯାଇଥିବା ବେଳେ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକୁ ପାଳନ କରି ନଥିବାରୁ ସେ ସଂପର୍କରେ ତାଙ୍କୁ ମନେ ପକାଇ ଦେବାକୁ ମୁକ୍ତିକାନ୍ତ ଭୁବନେଶ୍ୱର ଆସିଥିଲେ। ସେ ରାଉରକେଲାରୁ ସଂପୂର୍ଣ୍ଣ ହୋଇନଥିବା ପ୍ରକଳ୍ପର ମଡ଼େଲକୁ କାନ୍ଧରେ ବୋହି ଚାଲି ଚାଲି ଭୁବନେଶ୍ୱର ଆସିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ଅନୁମତି ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ୭ ଦିନ ଅପେକ୍ଷା କରିବା ପରେ ଶେଷରେ ଆଜି ନିରାଶ ହୋଇ ମୁକ୍ତିକାନ୍ତ ଦିନ ପ୍ରାୟ ୧୧ଟା ବେଳେ ଶିଶୁ ଭବନ ଛକ ନିକଟସ୍ଥ ଏକ ହୋର୍ଡିଂ ଉପରକୁ ଚଢ଼ିଯାଇଥିଲେ। ସେ ତାଙ୍କ ସାଙ୍ଗରେ ଗୋଟିଏ ବୋତଲ ଡିଜେଲ ଓ ଦିଆସିଲ ନେଇ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ନ ମିଳିଲେ ସେ ହୋର୍ଡିଂ ପରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀର ଅଧିକାରୀମାନେ ପହଞ୍ଚି ମୁକ୍ତିକାନ୍ତଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ମୁକ୍ତିକାନ୍ତ କାହା କଥା ଶୁଣି ନଥିଲେ। ଶେଷରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମୁକ୍ତିକାନ୍ତଙ୍କ ନିକଟରେ ପହଞ୍ଚିଥିଲେ। କିଛି କର୍ମଚାରୀ ଉକ୍ତ ହୋର୍ଡିଂ ଉପରକୁ ଚଢ଼ିଥିବା ବେଳେ ଆଉ କିଛି ସିଡି ଯୋଗେ ମୁକ୍ତିକାନ୍ତଙ୍କ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମୁକ୍ତିକାନ୍ତ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇବାକୁ ପ୍ରୟାସ କରିଥିଲେ। ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କ ଉପରେ ଜଳ ସିଞ୍ଚନ କରାଯାଇଥିଲା। ତେଣୁ ମୁକ୍ତିକାନ୍ତଙ୍କର କିଛି କ୍ଷତି ହେଲାନି ଓ ତାଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ମୁକ୍ତିକାନ୍ତ ତାଙ୍କ ସ୍ୱରକୁ ଆହୁରି ଶାଣିତ କରିଛନ୍ତି। ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ନିଆଯାଉଥିବା ବେଳେ ସେ ଜୋର ପାଟିରେ କହିଥିଲେ ଯେ ଏ ଲଢ଼େଇ ଜାରି ରହିବ। ସେ ଏହାକୁ ବାରମ୍ବାର ଦୋହରାଇ ଥିଲେ। ଏମିତିକି ରାଜ୍ୟରେ ଏକଛତ୍ରବାଦୀ ଶାସନ ଚାଲିଛି ବୋଲି ସେ କହିଥିଲେ।

କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ମୁକ୍ତିକାନ୍ତ କହିଥିଲେ ଯେ ଯଦି ତାଙ୍କୁ ଗିରଫ କରାଯାଏ, ତା’ହେଲେ ସେ ଜେଲ୍ ଭିତରେ ଆମରଣ ଅନଶନ କରିବେ। ରାଉରକେଲାର ତଥା ଓଡ଼ିଶାର ହକ୍ ପାଇଁ ତାଙ୍କ ଲଢ଼େଇ ଜାରି ରହିବ। ଆଗକୁ ରାଜ୍ୟବାସୀ ଦୃଢ଼ ଜବାବ ଦେବେ।

ସୂଚନାଯୋଗ୍ୟ, ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଥିବା ବେଳେ ସେଠାରେ ଏକ ସାଧାରଣ ସଭାରେ ରାଉରକେଲା ସରକାରୀ ହସ୍ପିଟାଲକୁ ୪୦୦ ଶଯ୍ୟା ବିଶିଷ୍ଟ ମଡେଲ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରିବା ପାଇଁ କହିବା ସହିତ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ୍ କୋଏଲ ନଦୀରେ ଷ୍ଟୋରେଜ ନିର୍ମାଣ ଓ ନଦୀ କଡ଼ରେ ରିଙ୍ଗ ରୋଡ ଏବଂ ନଦୀ ବନ୍ଧ ନିର୍ମାଣ ପାଇଁ କଥା ଦେଇଥିଲେ। କେବଳ ସେତିକି ନୁହେଁ, ନୂଆ ଗାଁ ବିର୍ଶା ଅଞ୍ଚଳରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀଙ୍କ ସୁବିଧା ପାଇଁ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏଁ ପ୍ରତିଶ୍ରୁତି ମୁତାବକ କୌଣସିଟିର କାମ ଆରମ୍ଭ ହୋଇ ନ ଥିବା ବେଳେ ଦୁଇଟି ପ୍ରୋଜେକ୍ଟର କେବଳ ଶିଳାନ୍ୟାସ ହୋଇ ପଡ଼ିରହିଛି। ତେଣୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେବାକୁ ସେ ପଦଯାତ୍ରାରେ ରାଉରକେଲାରୁ ଭୁବନେଶ୍ୱର ଆସିଥିଲେ।

Leave a Reply

Your email address will not be published. Required fields are marked *