ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬ଜଣ ଲୁଟେରା ସମେତ ୮ ଗିରଫ

ଭୁବନେଶ୍ୱର:- ରାଜଧାନୀରୁ ବାଇକ୍ ଚୋରି କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କମିଶନରେଟ୍ ପୁଲିସ । ୬ଜଣ ପେଶାଦାର ଲୁଟେରା ସମେତ ୨ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ପୁଲିସ ୩୦ଟି ଚୋରି ବାଇକ୍‌କୁ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁରୀ ଜିଲାରୁ ୪ ଜଣ ରହିଛନ୍ତି । ସେମାନେ ହେଲେ ପ୍ରଦୀପ ପାଇକରାଏ (୨୨), ଆକାଶ ବେହେରା (୨୦) , ବାଦାଲ ବେହେରା (୨୨) , ଜୟ ବେହେରା (୧୯) , ଖୋର୍ଦ୍ଧାର ସମରକ ଶତପଥୀ (୨୦), ଶ୍ରୀନିବାସ ମହାନ୍ତି (୨୪) । ସେହିପରି ଗଞ୍ଜାମର ମିଥୁନ ବିଶୋଇ (୨୮), ଏବଂ ଅମିନ ସାହୁ (୨୯) । ଏହି ରାକେଟ୍‌ରେ ଏକାଧିକ ବ୍ୟକ୍ତି ସାମିଲ ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ତେଣୁ ସେମାନଙ୍କୁ ଧରିବା ଲାଗି କମିଶନରେଟ ପୋଲିସ ଉଦ୍ୟମ ଜାରି ରଖିଛି ।
ଏପରିକି ଲୁଟେରାମାନେ ଇନ୍‌ଫୋଭ୍ୟାଲି ଅଞ୍ଚଳର ଏକ ଆପାଟମେଣ୍ଟ ତଳୁ ବହୁତ କମ ସମୟରେ ୪ଟି ବାଇକ ଲୁଟ କରିଥିବା ସିସିଟିଭିରେ କଏଦ ହୋଇଥିଲା । ଏହି ଗ୍ୟାଙ୍ଗ ମଞ୍ଚେଶ୍ୱର, ଭରତପୁର ଏବଂ ଇନ୍‌ଫୋଭ୍ୟାଲି ଅଞ୍ଚଳରୁ ବାଇକ୍ ଚୋରି କରୁଥିଲେ । ଗତ ମାର୍ଚ୍ଚ ମାସରେ ସେମାନେ ୧୯ଟି ବାଇକ୍ ଚୋରି କରିଥିଲେ । ରାଜଧାନୀର ମୁଖ୍ୟ ରାସ୍ତା , ଗଳିକନ୍ଧି ଏପରିକି ଘର ଆଗରୁ ମଧ୍ୟ ବାଇକ୍ ଚୋରି କରୁଥିଲେ । ଯେଉଁଠି ମୌକା ପାଇଲେ ସେଇଠୁ ବାଇକ ଚୋରି କରି ପୋଲିସକୁ ଚକମା ଦେଇ ଫେରାର ହୋଇଯାଉଥିଲେ ତେଣୁ ଏହି ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବା ଲାଗି ଏକ ସ୍ୱତନ୍ତ୍ର ସ୍ପେଶାଲ ସ୍କ୍ୱାଡ୍ ଗଠିନ କରାଯାଇଥିଲା । ଏଥିସହ ସମସ୍ତ ଚୋରା ଗାଡି ମାମଲାରେ ସ୍ପେଶାଲ ସ୍କ୍ୱାଡକୁ ତଦନ୍ତରେ ସାହାଯ୍ୟ କରିବା ନିମନ୍ତେ ଭରତପୁର,ଖଣ୍ଡଗିରି ,ଚନ୍ଦ୍ରଶେଖରପୁର,ମଞ୍ଚେଶ୍ୱର ଥାନାର ପିଓପିଡି ଓ ଟିମ ୬୦କୁ ନିଯୁକ୍ତ କରାଯାଇଥିଲା । ସେମାନେ ତଦନ୍ତ କରି ଏହି ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଗିରଫ କରିଥିଲେ । ତାଙ୍କୁ ପଚରାଉଚରା କରିବା ପରେ ପୁରା ଗ୍ୟାଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସାଜିଥିଲେ ପ୍ରଦୀପ । ସେ ହିଁ ଅନ୍ୟମାନଙ୍କୁ ନେଇ ଗ୍ୟାଙ୍ଗ ଗଢିଥିଲା । ସେମାନଙ୍କୁ ପ୍ରଥମେ ବାଇକ୍ ଚୋରିର ଟ୍ରେନିଂ ଦେଉଥିଲା । ପରେ ମାଷ୍ଟର କି ସାହାର୍ଯ୍ୟରେ ଚୋରି କରୁଥିଲେ । ପରେ ଚୋରି ବାଇକ୍‌କୁ ଶାଗ,ମୁଗ ଦରରେ ସାତପଡ଼ା, ମାଲଦାରେ ବିକ୍ରି କରୁଥିଲେ । ପୁଲିସ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ପଚରାଉଚରା କରିବା ପରେ ୩୦ ବାଇକ୍ ଜବତ କରାଯାଇଥିଲା । ସେଥିରୁ ୨୬ଟି ବାଇକ୍ ରାଜଧାନୀରୁ ଚୋରି କରାଯାଇଥିବା ବେଳେ ୪ଟି ବାଇକ୍ ଗଞ୍ଜାମରୁ ଚୋରି କରିଥିଲେ ।

Leave a Reply

Your email address will not be published. Required fields are marked *