ଅପରାଧୀଙ୍କ ପାଇଁ ଜ୍ଞାନର ଭାଣ୍ଡାର ସାଜିଛି ୟୁ-ଟ୍ୟୁବ, ଅପରାଧ କରିବା ପୂର୍ବରୁ ଶିଖୁଛନ୍ତି ଖସିବାର କୌଶଳ

ଭୁବନେଶ୍ୱର,(ଶୁଶାନ୍ତ ପାତ୍ର):- ପୁଲିସ ବିଭାଗ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ହାଇଟେକ୍ ହେଲାଣି । ଏହାକୁ ତାଳ ଦେଇ ମଧ୍ୟ ଅପରାଧୀମାନେ ଚାଲୁଛନ୍ତି । ସେମାନେ ପୁଲିସ ଠାରୁ ଦୁଇ କଦମ୍ ଆଗରେ ଅଛନ୍ତି । ପୁଲିସ ଡାଳେ ଡାଳେ ଗଲେ ଅପରାଧୀ ପତରେ ପତରେ ଯାଉଛନ୍ତି । ତେଣୁ ସେମାନେ ଅପରାଧ ଘଟାଇବା ପୂର୍ବରୁ ପୁଲିସ ନଜରରୁ ଖସିବା ପାଇଁ ବାଟ ଶିଖୁଛନ୍ତି । ଆଉ ଏହି ବାଟ ଦେଖାଉଛନ୍ତି ସାମାଜିକ ଗଣ ମାଧ୍ୟମ ଆଉ ୟୁ-ଟ୍ୟୁବ୍ । ସେମାନେ ସେଥିରୁ ଦେଖି ନୂଆ ଷ୍ଟାଇଲ୍‌ରେ ଅପରାଧ ଘଟାଇବାର କୌଶଳ ଶିଖୁଛନ୍ତି । ଯେଉଁଥି ପାଇଁ ପୁଲିସ ତ ଧରିବା ଦୂରର କଥା, ସେମାନଙ୍କ ଗନ୍ଧ ବାରି ପାରୁନି ।
ଶବ ପୋତିବା ପାଇଁ ଶର୍ମିଷ୍ଠା ଦେଖିଥିଲେ ୟୁ-ଟ୍ୟୁବ୍‌:
କ୍ୟାମେରାମ୍ୟାନ୍ ମାନସଙ୍କୁ ଶର୍ମଷ୍ଠା ରାଉତ, ନିରଞ୍ଜନ ସେଠି ଏବଂ ଅନ୍ୟମାନେ ହତ୍ୟା କରିବାରେ ମୃତଦେହକୁ କଣ କରିବେ ବୋଲି ଚିନ୍ତାରେ ପଡ଼ିଥିଲେ । ତେଲେ ଶବକୁ କଣ କଲେ ପୁଲିସ ସୁରାକ ପାଇବ ନାହିଁ, ସେ ନେଇ ଶର୍ମିଷ୍ଠା ୟୁ-ଟ୍ୟୁବ୍‌ରୁ ସର୍ଚ୍ଚ କରି ଦେଖିଥିଲେ । ଶବ କିଭଳି ଶୀଘ୍ର ନଷ୍ଟ ହେବ ତାହା ମଧ୍ୟ ଦେଖିଥିଲେ । ଶବ ପୋତିବା ସମୟରେ କିଭଳି ସାବଧାନତା ଅବଲମ୍ବନ କରିବ । ଆଉ ଘଟଣା ସ୍ଥଳରେ ପୁଲିସ ପାଇଁ କିଛି ପ୍ରମାଣ ଛାଡ଼ିବ ନାହିଁ, ସେ ବିଷୟରେ ୟୁ-ଟ୍ୟୁବ୍‌ରୁ ଦେଖିବା ପରେ ମାନସଙ୍କୁ ନେଇ ନୟାଗଡ଼ରେ ପୋତିଥିଲେ ।
ସୋସିଆଲ ମିଡ଼ାଆରୁ ଶିଖି ଏଟିଏମ୍ ଲୁଟ:
ରାଜଧାନୀରେ ଗତବର୍ଷ ୩ଟି ବଡ଼ଧରଣର ଏଟିଏମ୍‌ଲୁଟ୍ ଘଟଣା ସାମ୍‌ନାକୁ ଆସିଥିଲା । ରାଜ୍ୟ ବାହାର ଅପରାଧି ନୂଆ କୌଶଳରେ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକ ନେଇଥିଲେ । ପଟିଆ ରେଳଷ୍ଟେସନ ନିକଟରେ ଥିବା ଏକ ବ୍ୟାଙ୍କ ଏଟିଏମ୍‌ରୁ ୟୁଟ୍ୟୁବ୍ ଦେଖି ଏଟିଏମ୍ ମେସିନ୍ କାଟି ପ୍ରାୟ ୨୭ ଲକ୍ଷ ଟଙ୍କା ନେଇଯାଇଥିଲେ । ସେହିପରି ସହିଦନଗର ଅଞ୍ଚଳରୁ ଏଟିଏମ୍‌ରୁ ଲୁଟୁଥିବା ବେଳେ ଉତ୍ତରପ୍ରଦେଶ ୪ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ଏଥିସହିତ ଶ୍ରୀଲିଙ୍ଗରାଜ ଥାନା ଅଧୀନ ବଢ଼େଇବାଙ୍କ ଛକରେ ଥିବା ଏକ ଏଟିଏମ୍‌ରୁ ନୂଆଧରଣରେ ଟଙ୍କା ଲୁଟୁଥିବା ହରିୟାଣା ୩ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ତେବେ ୟୁଟ୍ୟୁବ୍ ଏଟିଏମ୍‌ରୁ ଲୁଟିବା କୌଶଳ ଶିଖି କୋଟି କୋଟି ଟଙ୍କା ଚଳୁ କରୁଥିଲେ । ସେପଟେ ନକଲି ସ୍କ୍ରିନ୍‌ସଟ୍ ଦେଖାଇ ସୁନା ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା ମୁମ୍ବାଇର ରାଜୀବ ପ୍ରଭାସ ଗୁପ୍ତା ଓ ବିଶାଲ ରାଜକୁମାର ଲେଲେଙ୍ଗା ମଧ୍ୟ ୟୁଟ୍ୟୁବ୍ ଦେଖି ନକଲି ସ୍କ୍ରିନ୍‌ସଟ୍ କରି ଲୁଟୁଥିଲେ ।
ଚନ୍ଦକା ମହିଳାଙ୍କ କଟାମୁଣ୍ଡ :
ଅନ୍ୟପଟେ ଚନ୍ଦକା କଟାମୁଣ୍ଡ ଘଟଣା ବି ସମ୍‌ାନ ଘଟଣା ଦେଖିବାକୁ ମିଳିଛି । ମହିଳାଙ୍କୁ ହତ୍ୟା କରିବା ପରେ ଚଳଚ୍ଚିତ୍ର ଦେଖି ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଫୋପାଡିଦେଇଥିଲା ଅଭିଯୁକ୍ତ । ମହିଳାଙ୍କ ଚିହ୍ନଟ କରିବା ସହ ଅଭିଯୁକ୍ତକୁ ଠାବ କରିବାରେ କମିସନରେଟ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।
ମଞ୍ଚେଶ୍ୱର ବ୍ୟାଙ୍କ୍ ଡକାୟିତି:
ସେଭଳି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ଯୁବକ ବ୍ୟାଙ୍କ୍ ଡକାୟତି ଲାଗି ୟୁଟ୍ୟୁବ୍ ଦେଖିଥିଲେ । ୟୁଟ୍ୟୁବ୍‌୍‌ରେ ଏକ ବ୍ୟାଙ୍କ ଡକାୟତି କରାଯାଉଥିବାର ଏକ ଚଳଚ୍ଚିତ୍ର ଦେଖି ବନ୍ଧୁକ କିଣି ବନ୍ଧୁକ ମୁନରେ ସୁରକ୍ଷାକର୍ମୀଙ୍କୁ ଭୟଭୀତ କରି ଲକ୍ଷାଧିିକ ଟଙ୍କା ଲୁଟିନେଇଥିଲା । ଖଣ୍ଡଗିରି ଥାନା ଓୟୁଏଟି କଲୋନୀର ଜଣେ ବ୍ୟକ୍ତି ଯୁବକ ୟୁଟ୍ୟୁବ୍‌ରେ ବନ୍ଧୁକ ତିଆରି କରିବାର ଶୌଳୀ ଦେଖି ମେସିନ ସହାୟତାରେ ବନ୍ଧୁକ ଗଢ଼ୁଥିଲେ ।
କ୍ରାଇମ୍ ଥ୍ରୀଲ୍‌ର ଫିଲ୍ମର ଫ୍ୟାନ୍ ଅପରାଧୀ:
ୟୁଟ୍ୟୁବ୍ ଓ ସୋସିଆଲ୍ ମିଡ଼ିଆ ପରେ ଅପରାଧୀ ବିଭିନ୍ନ ପ୍ରକାର କ୍ରାଇମ୍ ଥ୍ରୀଲ୍‌ର ଫିଲ୍ମ ଦେଖି ଅପରାଧର ତରିକା ଶିକ୍ଷା କରୁଛନ୍ତି । ସେମାନେ ଫିଲ୍ମ ଦେଖି ସେହି ଅନୁସାରେ ଅପରାଧ ଘଟାଉଛନ୍ତି ।

Leave a Reply

Your email address will not be published. Required fields are marked *