ଟ୍ରାଫିକ୍ ଚେକିଂ ସମୟରେ କନ୍‌ଷ୍ଟେବଳଙ୍କୁ ମାଡ଼

ଭୁବନେଶ୍ୱର:- କ୍ୟାପିଟାଲ ଥାନା ରାଜମହଲ ଛକରେ ଡ୍ୟୁଟି କରୁଥିବା ଜଣେ ଟ୍ରାଫିକ୍ କନ୍‌ଷ୍ଟେବଳଙ୍କୁ ଗାଳିଗୁଲଜ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ଗାଡ଼ି ଚାଳକ ତାଙ୍କୁ ମାଡ଼ ମାରିଥିବା ନେଇ କନଷ୍ଟେବଳ ସନ୍ତୋଷ କୁମାର ବେହେରା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ, ସନ୍ତୋଷ ଏଜି ଛକରେ ଥିବା ଟ୍ରାଫିକ୍ ଥାନାରେ କାର୍ଯ୍ୟରତ ଅଛନ୍ତି । ସେ ଶୁକ୍ରବାର ସକାଳ ୯ଟାରୁ ୧.୩୦ ପର୍ଯ୍ୟନ୍ତ ରାଜମହଲ ଛକରେ ଡ୍ୟୁଟି ଥିଲା । ସେ ଦିନ ସାଢେ ୧୨ଟା ସମୟରେ ରାଜମହଲ ଛକରେ ଡ୍ୟୁଟି କରୁଥିବା ସମୟରେ ଜଣେ ସ୍କୁଟି(ଓଡ଼ି-୦୨ଏକ୍ସ୮୫୯୨) ଚାଳକ ବିନା ହେଲମେଟରେ କଳ୍ପନା ଛକରୁ ରାଜମହଲ ଛକ ଅଭିମୁଖେ ଆସୁଥିଲେ । ବିନା ହେଲମେଟ୍‌ରେ ଚାଳକ ଜଣଙ୍କ ଆସୁଥିବାରୁ ତାଙ୍କୁ ସନ୍ତୋଷ ଅଟକାଇଥିଲେ । ଆଉ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ । କିନ୍ତୁ ସ୍କୁଟି ଚାଳକ ତାହା ନଦେଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *