ଦିଲ୍ଲୀ ପରେ ପଞ୍ଜାବ ଦଖଲ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ:-ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ ଉପରେ । ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଉପରେ ଫୋକସ କରିଥିଲେ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ । ସାଧାରଣ ବ୍ୟକ୍ତିରୁ ମୁଖ୍ୟମନ୍ତ୍ରୀ ଏବଂ ଏବେ ଦିଲ୍ଲୀ ପରେ ପଞ୍ଜାବକୁ ଅକ୍ତିଆର କରି କେଜ୍ରିୱାଲ ପ୍ରମାଣ କରିଛନ୍ତି ଯେ ତାଙ୍କ ପାର୍ଟି ହେଉଛି କମନ୍ ମ୍ୟାନ୍ ପାର୍ଟି ।ଭଗବନ୍ତ ମାନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପ୍ରଥମରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ କେଜ୍ରିୱାଲ । ଏହାସହ ବଡ଼ ବଡ଼ ପ୍ରତିଶ୍ରୁତି ଓ ଲୋଭନୀୟ ଅଫର ଦେଇ ଜନମତକୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଥିଲେ । ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ, ମାଗଣା ଶିକ୍ଷା ଥିଲା ମୁଖ୍ୟ ଆକର୍ଷଣ । ଏହାଛଡ଼ା ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ମାସିକ ହଜାର ଟଙ୍କା, ଔଷଧ ଏବଂ ମାଗଣା ସମସ୍ତ ଡାକ୍ତରୀ ପରୀକ୍ଷା ସମେତ ସ୍ୱାସ୍ଥ୍ୟ କାର୍ଡ ଦେବା ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଥିଲା । ଦିଲ୍ଲୀ ଭଳି ‘ମହଲା କ୍ଲିନିକ’ ମଡେଲ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ନିଶା ମୁକ୍ତ ପଞ୍ଜାବ ସ୍ଲୋଗାନ ମଧ୍ୟ ଆପ୍ ସପକ୍ଷରେ ଜନମତ ସୃଷ୍ଟି କରିଥିଲା ।ଏହାସହ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଟ୍ରମ୍ପ କାର୍ଡ ଖେଳିଥିଲେ କେଜ୍ରିୱାଲ । ଷ୍ଟାଣ୍ଡ-ଅପ୍ କମେଡି ଷ୍ଟାର୍ରୁ ରାଜନେତା ପାଲଟିଥିବା ଭଗବନ୍ତ ମାନ, ନିର୍ବିବାଦୀୟ ନେତା ହେବା ସହ ତାଙ୍କ ଭାବମୂର୍ତି ମଧ୍ୟ ଆପକୁ ସୁହାଇଥିଲା ।

Leave a Reply

Your email address will not be published. Required fields are marked *