ପୁଣି କଂଗ୍ରେସର ଫ୍ଲପ୍ ସୋ, ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର

ନୂଆଦିଲ୍ଲୀ:-ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶାଜନକ ପ୍ରଦର୍ଶନ କରିଛି । ଏହାପରେ ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ ପ୍ରତି ସବୁଠୁ ବଡ ଧକ୍କା ହୋଇଛି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେବା ପାଇଁ ୫ରାଜ୍ୟର ବିଧାନସଭା ନିର୍ବାଚନ ଯେଉଁ ସୁଯୋଗ ଆଣିଥିଲା ତାହା ଦଳ ହାତଛଡା କରିଛି । ୟୁପି, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଦଳର ପ୍ରଦର୍ଶନ ଯେତିକି କଷ୍ଟ ଦେଇଛି । ତାଠୁ ବଳିଯାଇଛି କ୍ଷମତାରେ ଥାଇ ପଞ୍ଜାବରେ ପରାଜୟ ।

ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ଦଳର ଶୀର୍ଷ ନେତୃତ୍ୱ ଉପରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ ପ୍ରତି ବଡ ଧକ୍କା ହୋଇଛି । ରାହୁଲ ଗାନ୍ଧୀ କଂଗ୍ରେସ କ୍ଷମତାରେ ଥିବା ପଞ୍ଜାବର ନିର୍ବାଚନ କଥା ବୁଝୁଥିଲେ, ଆଉ ତାଙ୍କ ରଣନୀତି, ତାଙ୍କରି ନେତୃତ୍ୱରେ ନିର୍ବାଚନ ଲଢି ହାରିଛନ୍ତି ଚରଣଜିତ୍ ଚନ୍ନି ସରକାର ।

ସେପଟେ ପରାଜୟରୁ ଶିଖିବାକୁ ମିଳିବ ବୋଲି ଟୁଇଟ୍ କରିଛନ୍ତି ରାହୁଲ ଗାନ୍ଧୀ । ଏବଂ କହିଛନ୍ତି, ଜନତାଙ୍କ ରାୟକୁ ସେ ବିନମ୍ରତାର ସହ ଗ୍ରହଣ କରୁଛନ୍ତି । ତେବେ ଚରଣଜିତ ସିଂ ଚନ୍ନି ଓ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଯୋଡି, ପଞ୍ଜାବ ଲୋକଙ୍କ ବିଶ୍ୱାସ ଜିତିପାରି ନାହାନ୍ତି । ଏପରିକି ଉଭୟ ଚନ୍ନି ଓ ସିଦ୍ଧୁ ନିଜେ ନିର୍ବାଚନ ହାରି ଯାଇଛନ୍ତି ।

ଅନ୍ୟପଟେ ୟୁପି ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଯାଦୁ ମଧ୍ୟ ଜନତା ଉପରେ ଚାଲିଲା ନାହିଁ । ୟୁପିରେ ଏକଦା ଶାସନ କରୁଥିବା କଂଗ୍ରେସ ଏବେ ଦୁଇ ଅଙ୍କରେ ପହଞ୍ଚିବାକୁ ସଂଘର୍ଷ କରୁଛି । ହାଥରସ, ଲଖିମପୁର ଖେରି, ଚାଷୀ ଆନ୍ଦୋଳନ, ଆଇନ ଶୃଙ୍ଖଳା, ମହିଳାଙ୍କ ଉପରେ ଅତ୍ୟାଚାର, ବେରୋଜଗାରୀ ଭଳି ପ୍ରସଙ୍ଗରେ ମଧ୍ୟ ଭୋଟ ଗୋଟେଇ ପାରି ନାହିଁ କଂଗ୍ରେସ । ଏହି ୫ ରାଜ୍ୟର ଫଳ କଂଗ୍ରେସର ଭବିଷ୍ୟତ ଉତ୍ତରାଧିକାରୀ ବୋଲି କୁହାଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଛିଡା କରିଛି ।

Leave a Reply

Your email address will not be published. Required fields are marked *