ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ପିପିଲି ଏସଡିପିଓ ଓ ଆଇଆଇସି ସ୍ଥାନୀୟ ଲୋକଙ୍କୁ ରାସ୍ତା ଉପରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।ସୂଚନା ଅନୁସାରେ, ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁମିତ୍ରା ଜେନାଙ୍କ ପୁଅ ମୃତ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର । ସୌମ୍ୟରଞ୍ଜନ ଗତ ୭ ତାରିଖ ସନ୍ଧ୍ୟା ୬ଟା ଠାରୁ ନିଖୋଜ ଥିଲେ । ପରଦିନ ୮ତିରଖ ୧୧ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବାର ଦେଖିଥିଲେ ଶିକ୍ଷୟତ୍ରୀ ।ଅନ୍ୟପଟେ ମୃତ ସୌମ୍ୟରଞ୍ଜନଙ୍କ ସହ ଉକ୍ତ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା ଯାହାକି ତାଙ୍କ ମୋବାଇଲର ମେସେଜରୁ ଜଣାପଡିଛି ବୋଲି ଏତଲା ରେ ଦର୍ଶାଯାଇଛି । ତେବେ ୧୬ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ପରିବାର ଲୋକ ।

Leave a Reply

Your email address will not be published. Required fields are marked *