ବିଶ୍ୱାସରେ ବିଷ ଦେଲା ବନ୍ଧୁ, ଆକାଉଣ୍ଟରେ ବୁଲାଇଦେଲା କଳାକନା!

ବାସୁଦେବପୁର:-ବିଶ୍ୱାସରେ ବିଷ ଦେଲା ବନ୍ଧୁ! ଆକାଉଣ୍ଟରେ ବୁଲାଇଦେଲା କଳାକନା। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଆସିଛି। ପୁଲିସ୍‌ଠାରୁ ନିରାଶ ହେବା ପରେ ଠକାମୀରେ ଶିକାର ହୋଇଥିବା ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଇବର କ୍ରାଇମ୍‌ ବିଭାଗକୁ ଚିଠି ଲେଖି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।ପୂରା ଘଟଣା ଏମିତି। ବାସୁଦେବପୁର ଥାନା ଲୁଙ୍ଗା ଗାଁର ପ୍ରଭାକର ଲେଙ୍କାଙ୍କ ପୁଅ ସୁବାସ। ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ସେହି ସଂସ୍ଥାରେ ଯାଜପୁର ଅଞ୍ଚଳର ପ୍ରଶାନ୍ତ କୁମାର ପଣ୍ଡା କାମ କରୁଥିଲେ। ଦୁଇଜଣଙ୍କ ଭିତରେ ବନ୍ଧୁତା ବଢ଼ିଥିଲା। ଦୁଇଜଣ ଗୋଟିଏ କୋଠରୀରେ ପାଖାପାଖି ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିଲେ।

ସୁବାସ ନିଜ ମୋବାଇଲରେ ‘ଫୋନ୍‌ ପେ’ ଆପ୍ ଖୋଲିବାକୁ ପ୍ରଶାନ୍ତକୁ କହିଥିଲା। ଏହା ପରେ ସୁବାସଙ୍କ ଫୋନ୍‌ରେ ପ୍ରଶାନ୍ତ ଫୋନ୍‌ ପେ’ ଆପ୍‌ ଇନ୍‌ଷ୍ଟଲ କରିଥିଲେ। ଏହାର ମଉକା ନେଇ ପ୍ରଶାନ୍ତ ଗୁପ୍ତ ନମ୍ୱଟିକୁ ମନେ ରଖିଥିଲା। ପରେ କୌଶଳ କରି ସୁବାସଙ୍କ ବ୍ୟାଙ୍କ ବହି ନମ୍ବର, ଏଟିଏମ୍‌ କାର୍ଡ ନମ୍ବର ଓ ଆବଶ୍ୟକ କାଗଜପତ୍ର ହାତେଇ ନେଇଥିଲା। ଏହା ପରେ ସୁବାସ ନାଁରେ ନୂଆ ସିମକାର୍ଡ ଆଣି ନିଜ ମୋବଇଲରେ ‘ଫୋନ୍‌ ପେ’ ଖୋଲି ପ୍ରଶାନ୍ତ ଟଙ୍କା ହାତେଇ ନେଇଥିବା ଅଭିଯୋଗ ହୋଇଥିଲା।

ନିଜର ‘ଫୋନ୍‌ ପେ’ ନମ୍ବର ଆଉ ଜମାବହିର ଟଙ୍କା ସମ୍ପର୍କରେ ଯାଞ୍ଚ କରିବା ପରେ ଆକାଉଣ୍ଟରୁ ୧୨ଟି କିସ୍ତିରେ ୪ ଲକ୍ଷ ୧୮ ହଜାର ୮୩୬ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଟଙ୍କା ସମ୍ପର୍କରେ ପ୍ରଶାନ୍ତକୁ ପଚାରିବାରୁ ବନ୍ଧୁତ୍ୱରେ ଫାଟ ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ସୁବାସ ବାସୁଦେବପୁର ଥାନାରେ ପ୍ରାଶନ୍ତ ନାଁରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସୁବାସ ଅଭିଯୋଗ କରିଛନ୍ତି।

ପୁଲିସଠାରୁ ନିରାଶ ହୋଇ ସୁବାସ୍‌ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଇବର କ୍ରାଇମ୍‌ ବିଭାଗକୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ସୁବାସ। ଘଟଣାର ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *