କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ, ୩ ଗିରଫ

ଭୁବନେଶ୍ୱର :-ବ୍ରାଉନ୍‌ସୁଗର ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ହଠାତ୍‌ ଚଢ଼ଉ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହିତ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି ଏସ୍‌ଟିଏଫ୍‌।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଗିଚା ବଜାର ଅଞ୍ଚଳରେ କେତେକ ନିଶା ବେପାରୀ ବ୍ରାଉନ୍‌ସୁଗର ବିକ୍ରି ପାଇଁ ଯୋଜନା କରୁଥିଲେ। ବୁଧବାର ବିଳମ୍ୱିତ ରାତିରେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କେଜିଏ ୩୨୦ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ କୋଟିଏ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଥିସହ ନଗଦ ଲକ୍ଷେ ୬୫ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି। ଏହି ମାମଲାରେ ଏସ୍‌ଟିଏଫ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମାମଲା ରହିଛି କି ନାହିଁ ଜଣାପଡ଼ି ନାହିଁ। ତାହା ଉପରେ ତଦନ୍ତ ଚାଲିଥିବା ଏସ୍‌ଟିଏଫ୍‌ କହିଛି।

ଚାଲାଣ ହେଉଥିବା ବ୍ରାଉନ୍‌ସୁଗର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଥିବା ଅନୁମାନ କରାଯାଉଛି। ଏଠାରୁ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବିତରଣ କରିବା ପାଇଁ ଯୋଜନା କରାଯାଉଥିବା ଏସ୍‌ଟିଏଫ୍‌ କହିଛି।  ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଟିଏଫ୍‌ କହିଛି।

Leave a Reply

Your email address will not be published. Required fields are marked *