ଋଷର ଆଲୋଚନା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ, ବେଲାରୁଷ ସୀମାରେ ହେବ ଆଲୋଚନା !

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ଭଲ ଖବର ଆସିଛି । ଋଷ ତରଫରୁ ୟୁକ୍ରେନକୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୟୁକ୍ରେନ ସରକାର । ଏହି କ୍ରମରେ ଋଷର ସମର୍ଥକ ଦେଶ ବେଲାରୁଷ ସୀମାରେ ଏନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି । କହିରଖୁ କି କିଛି ସମୟ ପୂର୍ବରୁ ଋଷର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ଅସ୍ୱୀକାର କରିଥିଲେ । ଜେଲେନସ୍କି କହିଥିଲେ କି ଯେଉଁ ଦେଶ ଭିତରେ ରହି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ସେହି ଦେଶରେ କିଭଳି ଋଷ ସହ ଆଲୋଚନା ହୋଇ ପାରିବ ।

ସୂଚନା ଥାଉକି ଆଲୋଚନା ପାଇଁ ଋଷ ସ୍ଥିର କରିଥିବା ବେଲାରୁଷ ହେଉଛି ଋଷର ଏକ ସମର୍ଥକ ଦେଶ । ଏହାସହ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ବେଲାରୁଷ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛି । ସେପଟେ ପଶ୍ଚିମ ଦେଶମାନେ ଋଷ ସହ ବେଲାରୁଷ ଉପରେ ବି ଯୁଦ୍ଧକୁ ନେଇ ବିିଭିନ୍ନ କଟକଣା ଲଗାଇଛନ୍ତି । ତେଣୁ ୟୁକ୍ରେନ ପ୍ରଥମେ ଋଷର ଆଲୋଚନା ପ୍ରସ୍ତାବ ଉପରେ କହିଥିଲା କି ଯଦି ଆଲୋଚନା ହେବ ତେବେ ତୁର୍କୀ , ପୋଲାଣ୍ଡ କିମ୍ବା ଅନ୍ୟ କୌଣସି ଦେଶକୁ ଆଲୋଚନା ପାଇଁ ଆସନ୍ତୁ ଋଷର ପ୍ରତିନିଧି ମଣ୍ଡଳ ।ଅନ୍ୟପଟେ ଋଷ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ସେହି ସମୟରେ ଦେଇଛି ଯେତେବେଳେ କି ଯୁଦ୍ଧକୁ ବିରୋଧ କରି ଆମେରିକା ସହ ପଶ୍ଚିମଦେଶମାନେ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏହାସହ କିଛି ଦେଶ ୟୁକ୍ରେନକୁ ସୈନ୍ୟ ସହୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଋଷ ନିଜ ତରଫରୁ ୟୁକ୍ରେନକୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା ।

Leave a Reply

Your email address will not be published. Required fields are marked *