ଧରାପଡ଼ିଲେ ୪ଜଣ ଆନ୍ତଃରାଜ୍ୟ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌, ଔଷଧ ଦୋକାନୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ

ଭୁବନେଶ୍ୱର:- ରାଜଧାନୀରେ ଲୁଟ୍‌ପାଟ୍ କରୁଥିବା ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାକୁ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ୍ । ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ସେମାନେ କଟକରେ ଲୁଟ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଲୁଟେରାମାନେ ହେଲେ ପଶ୍ଚିମବଙ୍ଗ, ନଦିଆ ଜିଲ୍ଲା ଦୟାବରୀ ଥାନା ଅଞ୍ଚଳର ରାଜୁ ସିଂ ଓରଫ ରାଜୁ(୪୩), ୨୪ ପ୍ରଗଣାର ଶଙ୍କର ଦେ(୩୧), ବିଜିପୁରୁ ସୁରଞ୍ଜନ ବିଶ୍ୱାଳ ଓରଫ ସୋନୁ(୩୫) ଓ ବିଜିପୁରର ଦୀପକ ବିଶ୍ୱାଳ ଓରଫ ଶ୍ୟାମ୍‌(୫୦) । ସେମାନଙ୍କ ନିକଟରୁ ପୁଲିସ ନଗଦ ୩୯ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍‌, ଗୋଟିଏ ଆଧାର କାର୍ଡ, ୨ଟି ଭୋଟର କାର୍ଡକୁ ଜବତ କରିଛି । ସେମାନଙ୍କ ବିରୋଧରେ ପୁଲିସ ସଂଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଛି ।
ଲୁଟେରାମାନେ ଲୁଟ୍ ପାଇଁ ବାହାରିବା ପୂର୍ବରୁ ଚେୟାର ଉପରେ ରସ୍‌ଗୋଲା ଭୋଗ କରନ୍ତି । ଆଉ ଠାକୁରଙ୍କୁ ଧୂପ, ଦୀପ ଦେଇ ପୂଜା କରିବା ପରେ ରସଗୋଲାକୁ ପ୍ରସାଦ ଭାବେ ଖାଇ ସେମାନେ ଲୁଟ୍ ପାଇଁ ବାହାରି ଯାଆନ୍ତି । ଗିରଫ ଲୁଟେରାମାନେ ରସଗୋଲା ପୂର୍ଜା କରିବାର ଫଟୋ ଏବେ କମିଶନ୍‌ରେଟ୍ ପୁଲିସ ହାତରେ ଲାଗିଛି । ଯାହାକି ସମସ୍ତଙ୍କୁ ଚକିତ କରିଛି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ସାଜିଥିଲା ରାଜୁ ସିଂ । ସେ ପଶ୍ଚିମବଙ୍ଗରେ ୧୦ ବର୍ଷ ହେବ ରଙ୍ଗମିସ୍ତ୍ରୀଭାବେ କାମ କରେ । ହେଲେ ଲକ୍‌ଡାଉନ୍ ଯୋଗୁ ତାକୁ ଆଉ କାମ ମିଳିନଥିଲା । ଯେଉଁଥି ପାଇଁ ପରିବାର ଚଳିବା କଷ୍ଟକର ହୋଇପଡିଥିଲା । ତେଣୁ ସେ ଲୁଟ୍‌କୁ ନିଜର କ୍ୟାରିୟର ଭାବେ ବାଛି ନେଇଥିଲା । ଏଥିପାଇଁ ରଙ୍ଗ କାମ କରୁଥିବା ଅନ୍ୟ ୩ଜଣଙ୍କୁ ତାର ଗ୍ୟାଙ୍ଗ୍‌ରେ ସାମିଲ୍ କରିଥିଲେ । ଏହାପରେ ସେ ତାର ସହଯୋଗୀଙ୍କୁ ଧରି ବେଣ୍ଡିଲ ରେଳ ଷ୍ଟେସନରୁ ହାୱାଡଶ ରେଳ ଷ୍ଟେସନରେ ଆସି ଗତ ୧୨ ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେଠାରେ ବସ୍ ଷ୍ଟାଣ୍ଡ୍ ପାଖ ଏକ ହୋଟେଲରେ ରଖି ଏକ ଲେଡିଜ୍ କର୍ନର ଏବଂ ପୁରୁଣା ବସ୍‌ଷ୍ଟାଣ୍ଡ ପାଖ ଏକ ଔଷଧ ଦୋକାନରୁ ଲୁଟ୍ କରିଥିଲେ । ଗତ ୧୭ ତାରିଖ ସକାଳେ ଭୁବନେଶ୍ୱରରେ ବସ୍ ପହଞ୍ଚି ଅଶୋକ ନଗର ସ୍ଥିତ ଏକ ହୋଟେଲ ନେଇ ୨ଟି ରୁମ୍‌ରେ ରହିଥିଲେ । ରହିବାର ୩ଦିନ ପରେ ସେମାନେ ହୋଟେଲ ବଦଳି ଦେଇଥିଲେ । ଗତ ୨୦ ତାରିଖରେ ବଡ଼ଗଡ଼, ୨୧ ତାରିଖଷର ନୂଆପଲ୍ଲୀ, ୨୨ରେ ଲିଙ୍ଗରାଜ ଏବଂ ୨୪ରେ ଖାରବେଳ ନଗର ଅଞ୍ଚଳରୁ ଲୁଟ୍ କରିଥିଲେ । ରାଜଧାନୀରେ ସିରିଜ୍ ଲୁଟ୍ ହେବା ପରେ ସ୍ପେଶାଲ ସ୍କ୍ୱାଡ୍‌କୁ ଡିସିପି ତଦନ୍ତ ଦାୟିତ୍ୱ ଦେଇଥିଲେ । ସ୍ପେଶାଲ ସ୍କ୍ୱାଡ୍ ପ୍ରଥମେ ଲୁଟ୍ ହୋଇଥିବା ବିଭିନ୍ନ ଦୋକାନର ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ସେମାନେ ବଙ୍ଗାଳିରେ କଥାବାର୍ତ୍ତା ହେଉଥିବାରୁ ଲୁଟେରା ପଶ୍ଚିମବଙ୍ଗର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଜାନୁୟାରୀ ୨୫ ତାରିଖରେ ରାଜଧାନୀରେ ବିଭିନ୍ନ ହୋଟେଲ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଏହି ଗ୍ୟାଙ୍ଗ ବାପୁଜୀନଗରରେ ଏକ ହୋଟେଲରେ ରହୁଥିବା ଜଣାପଡିଥିଲା । ଲୁଟେରା ଗ୍ୟାଙ୍ଗ୍ କଟକରୁ ଲୁଟ୍ କରିବା ପାଇଁ ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଥିଲା । ସ୍ପେଶାଲ ସ୍କ୍ୱାଡ୍‌ର ଏକ ଟିମ୍ କଟକ ଯାଇ ଖୋଜାଖୋଜି କରିବା ପରେ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ବାଦାମବାଡ଼ିରୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *