ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଲେନି ପୁଲିସ ଅଫିସରଙ୍କ ପତ୍ନୀ,କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବା ଆଳରେ ଲୁଟିନେଲେ ୪୯ ହଜାର

ଭୁବନେଶ୍ୱର:- ରାଜଧାନୀରେ କାମ କରୁଥିବା ରାଜ୍ୟ କ୍ରାଇମ କଂଣ୍ଟ୍ରୋଲ ବ୍ୟୁରୋରେ କାର୍ଯ୍ୟରତ ଜଣେ ସବ୍‌ଇନ୍ସପେକ୍ଟରଙ୍କ ପତ୍ନୀ ସାଇବର ଠକେଇର ଶୀକାର ହୋଇଛନ୍ତି । ଠକେଇର ଶୀକାର ହୋଇଥିବା ପୁଲିସ ଅଫିସର ବିଜୟ ମହାଳିଙ୍କ ପତ୍ନୀ ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ତାଙ୍କ ଅଭିଯାଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି ।
ଗତ ଗୁରୁବାର ସିମ୍ କାର୍ଡ ଚେଞ୍ଚ କରିବାକୁ ଯାଇ ସାଇବର ଠକ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଠାରୁ ୧୩ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ ପୁଲିସ ଜଣେ ପୁଲିସ ଅଫିସର ସାଇବର ଠକେଇର ଶୀକାର ହେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଗତବର୍ଷ ଡିସେମ୍ବର ମାସରେ ସାଇବର ଠକମାନେ ରାଜଧାନୀରୁ ୩୨ଲକ୍ଷ ଟଙ୍କା ଠକେଇ କରି ନେଇଥିଲେ । ହେଲେ କମିଶନରେଟ୍ ପୁଲିସ ସାଇବର ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟ କ୍ରାଇମ ବ୍ୟୁରୋ ଭୁବନେଶ୍ୱର ଅଫିସର ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟ କରନ୍ତି ବିଜୟ ମହାଳି । ଶୁକ୍ରବାର ଦିନ ବିଜୟଙ୍କ ପତ୍ନୀଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । କ୍ରେଡିଟ କାର୍ଡ ଅପଟେଡ୍ କରିବାକୁ କହି ସାଇବର ଠକମାନେ ପ୍ରଥମେ କାର୍ଡର ନମ୍ବର ମାଗିଥିଲେ । ବିଜୟଙ୍କ ପତ୍ନୀ କିଛି ବୁଝି ନପାରି ବ୍ୟାଙ୍କ୍ ଆକାଉଣ୍ଟର ସମସ୍ତ ଗୋପନୀୟ ତଥ୍ୟ ଦେଇ ଦେଇଥିଲେ । ଆକାଉଣ୍ଟର ସମସ୍ତ ତଥ୍ୟ ନେବା ପରେ ସାଇବର ଅପରାଧୀମାନେ ଆକାଉଣ୍ଟରେ ଥିବା ୪୯ ହଜାର ଟଙ୍କା ନିମିଷକ ମଧ୍ୟରେ ନେଇ ପଳାଇଥିଲେ । ଏନେଇ ସେ ବିଜୟଙ୍କୁ ଜଣାଇବା ପରେ ସେ ଯାଇ ବ୍ୟାଙ୍କରେ ଆକାଉଣ୍ଟ ଚେକ କରିଥିଲେ ମଧ୍ୟ ଆକାଉଣ୍ଟରେ ଆଉ ଟଙ୍କା ନଥିଲା । ଶେଷରେ ନିରାଶ ହୋଇ ବିଜୟ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି କେଉଁ ଆକଉଣ୍ଟକୁ ଏହି ଟଙ୍କା ଯାଇଛି, କେଉଁ ନମ୍ବରରୁ ଫୋନ ଆସିଥିଲା ତାର ଖୋଳତାଡ ଜାରି ରଖିଛି । ସାଧାରଣ ଲୋକଙ୍କ ଟଙ୍କା ଗଲେ ପୁଲିସ ଏତେ ମାତ୍ରାରେ ସକ୍ରିୟ ନଥାଏ, କିନ୍ତୁ ଏବେ ପୁଲିସ ଅଫିସରଙ୍କ ଆକାଉଣ୍ଟରୁ ଟଙ୍କା ଯାଇଥିବାରୁ ପୁଲିସ ଅଧିକ ମାତ୍ରାରେ ସକ୍ରିୟତା ଦେଖାଇଛି ।

Leave a Reply

Your email address will not be published. Required fields are marked *