ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ରାସ୍ତାରୋକ୍

ଭୁବନେଶ୍ୱର,:–ସହିଦନଗର ଥାନା ପ୍ରେସ୍‌ଛକରେ ଘଟିଥିବା ନିରଞ୍ଜନ ପରିଡ଼ା ଓରଫ ଚିଣ୍ଟୁ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟଅଭିଯୁକ୍ତ ମିଲୁକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ଗାଡ଼କଣ ଗ୍ରାମବାସୀ ତାତିଥିଲେ । ସେମାନେ ଚିଣ୍ଟୁକୁ ନ୍ୟାୟ ଦେବା ପାଇଁ ବ୍ୟାନର ଧରି ପ୍ରେସ୍ ଛକରେ ରାସ୍ତା ରୋକ୍ କରିଥିଲେ । ଦୀର୍ଘ ୪୫ ମିନିଟ୍ ଧରି ସେମାନେ ରାସ୍ତାରୋକ୍ କରିଥିଲେ । ଯେଉଁଥି ପାଇଁ ଶତାଧିକ ଗାଡ଼ି ଦୀର୍ଘ ସମୟ ଅଟକ ରହିଥିଲା । ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ । ଶେଷରେ ପୁଲିସ ଗ୍ରାମବାସୀଙ୍କୁ ୨୪ ଘଣ୍ଟାର ମହଲତ ମାଗିଛନ୍ତି । ସେମାନେ ଏହି ସମୟ ଭିତରେ ଅଭିଯୁକ୍ତକୁ ଗିରଫ କରି ଦେଖାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ । ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜୋରଦାର ଉଦ୍ୟମ କରିଛି । ୩ଟି ଥାନାକୁ ନେଇ ଗଠନ ହୋଇଥିବା ଟମ୍ ଏକାଧିକ ସ୍ଥାନରେ ଚଢଉ ଜାରି ରଖିଛି । ସେମାନେ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି । ଅଭିଯୁକ୍ତର ଘର ଏବଂ ସମ୍ପର୍କୀୟଙ୍କ ଘରେ ଚଢଉ କରିଥିଲେ ମଧ୍ୟ ପୁଲିସ ତାକୁ ପାଇନଥିବା ଜଣାପଡିଛି । ଅଭିଯୁକ୍ତ ଫୋନ୍ ବନ୍ଦ କରି ଦେଇଥିବାରୁ ପୁଲିସ ପାଇଁ ସମସ୍ୟା ହେଉଥିବା ଜଣେ ଅଧିକାରୀ କହିଛନ୍ତି । ତେଣୁ ସେ ହତ୍ୟା ପୂର୍ବରୁ ଏବଂ ହତ୍ୟା ପରେ କେଉଁମାନଙ୍କ ସହ ଯୋଗାଯୋଗ କରିଥିଲେ ସେମାନଙ୍କୁ ପୁଲିସ ପଚରାଉଚରା କରୁଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ହିମାଶୁଂ ସ୍ୱାଇଁ ସୂଚନା ଦେଇଛି । ରବିବାର ପୁଲିସ ଭଦ୍ରକର ସତ୍ୟ ରଞ୍ଜନ ସିଂ ଏବଂ ଯାଜପୁର ସତ୍ୟ ପାଣ୍ଡବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *