ଭାଙ୍ଗିଲା ଭାରତର ସ୍ଵପ୍ନ, ୨-୧ରେ ଟେଷ୍ଟ ସିରିଜ୍ ଜିତିଲା ଦକ୍ଷିଣ ଆଫ୍ରିକା,

କେପଟାଉନ;-ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ନିଜର ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ହାସଲ କରିବ। ତେବେ ଏହି ଆଶା ଆଶାରେ ହିଁ ରହିଗଲା। ପ୍ରଥମ ଟେଷ୍ଟ ଜିତି ସିରିଜ୍‌ରେ ଅଗ୍ରଣୀ ହାସଲ କରିଥିବା ଭାରତ ନିଜର ବ୍ୟାଟିଂ ଦୁର୍ବଳତା କାରଣରୁ କ୍ରମାଗତ ଦ୍ଵିତୀୟ ଏବଂ ତୃତୀୟ ଟେଷ୍ଟ ହାରି ଘରୋଇ ଦକ୍ଷିଣ ଆଫ୍ରିକା ନିକଟରୁ ୨-୧ରେ ଟେଷ୍ଟ ସିରିଜ୍ ହାରିଛି। ଏଥିସହ ଭାରତ ନୂତନ ବର୍ଷ ସିରିଜ୍‌ ପରାଜୟରୁ ଆରମ୍ଭ କରିଛି। କେପଟାଉନରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ଭାରତ ଦ୍ଵାରା ଧାର୍ଯ୍ୟ ୨୧୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ଚତୁର୍ଥ ଦିନରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। କିଗନ ପିଟରସନ(୮୨) ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଏଥିସହ ଋଷଭ ପନ୍ତଙ୍କ ଶତକୀୟ ଇନିଂସ ଏବଂ ବୁମରାଙ୍କ ୫ ଓ୍ଵିକେଟ୍ ସଫଳତା ନିଷ୍ଫଳ ହୋଇଛି। ଭାରତ ସେଞ୍ଚୁରିଆନ ଟେଷ୍ଟ ଜିତିଥିବା ବେଳେ ଘରୋଇ ଦଳ ଜୋହାନ୍ସବର୍ଗ ଏବଂ କେପଟାଉନ୍ ଟେଷ୍ଟ ଜିତିବାରେ ସଫଳ ହୋଇଛି।

୨୧୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ଦଳୀୟ ସ୍କୋର ୨୩ ରନରେ ପ୍ରଥମ ଝଟକା ଲାଗିଥିଲା। ଏଡନ ମାକ୍ରମ(୧୬)ଙ୍କୁ ଆଉଟ୍ କରି ମହମ୍ମଦ ଶାମି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଲାଗୁଥିଲା ମ୍ୟାଚ୍ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହେବ। କିନ୍ତୁ ଅଧିନାୟକ ଡିନ୍ ଏଲଗର ଏବଂ କିଗନ ପିଟରସନ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୧ରେ ପହଞ୍ଚାଇଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଡିନ ଏଲଗର(୩୦) ପାଭିଲିୟନ ଫେରିଥିଲେ। ଅନ୍ୟପଟେ କିଗନ ପିଟରସନ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ପିଟରସନ ଏବଂ ରସିଏ ଭାନ ଡର ଡସେନ ଦ୍ଵିତୀୟ ଓ୍ଵିକେଟ୍‌ରେ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡିଥିଲେ।

୧୫୫ ଦଳୀୟ ସ୍କୋରରେ କିଗାନ ପିଟରସନ ୮୨ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଆଶା କରାଯାଉଥିଲା ଭାରତ ମ୍ୟାଚ୍‌ରେ ସଂଘର୍ଷ କରିବ। କିନ୍ତୁ ଡସେନ ଓ ତେମ୍ବା ବାଭୁାମା ଦଳକୁ ଆଉ କ୍ଷତି ପହଞ୍ଚାଇବାକୁ ଦେଇନଥିଲେ। ଚତୁର୍ଥ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଡସେନ ୪୧ ଓ ତେମ୍ବା ବାଭୁମା ୩୨ ଅପରାଜିତ ରହିଥିଲେ। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମ ଇନିଂସରେ ଭାରତ  ବିରାଟ କୋହଲିଙ୍କ ୭୯ ରନ ବଳରେ ୨୨୩ ରନ କରିଥିଲା। ଜବାବରେ କିଗନ ପିଟରସନ(୭୧) ଦମରେ ଦକ୍ଷିଣ ଆଫ୍ରିକା ୨୧୦ ରନ କରି ପାରିଥିଲା। ଭାରତ ପକ୍ଷରୁ  ବୁମରା ୫ଓ୍ଵିକେଟ୍ ନେଇଥିଲେ। ତେବେ ଦ୍ଵିତୀୟ ଇନିଂସରେ  ଭାରତ ଆହୁରି ଦୟନୀୟ ବ୍ୟାଟିଂ କରିଥିଲା। ଋଷଭ ପନ୍ତ(ଅପରାଜିତ ୧୦୦) ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ।

Leave a Reply

Your email address will not be published. Required fields are marked *