ପୁଣି ଜଣେ ଉଠା ଦୋକାନୀଙ୍କ ଆତ୍ମହତ୍ୟା,କରଜକୁ ନେଇ ପାରିବାରିକ ଅଶାନ୍ତିରେ ଥିଲେ

ଭୁବନେଶ୍ୱର: ରାଜଧାନୀରେ ମଙ୍ଗଳବାର ଆଉ ଜଣେ ଉଠା ଦୋକାନୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟବସାୟୀ ହେଲେ ବିହାରର ସୁବାଷ ପଣ୍ଡିତ(୩୫) । ସେ ବେକରେ ଲୁଗା ବାନ୍ଧୀ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ଏନେଇ ବଡ଼ଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଏଥିସହ କ୍ୟାପିଟାଲ ହସ୍ପିଟାଲରେ ମୃତଦେହକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୁବାଷ ବଡ଼ଗଡ଼ ଥାନା ନୂଆସାହିରେ ପରିବାର ସହ ରହିବା ସହିତ ପ୍ରଦର୍ଶନୀ ଗ୍ରାଉଣ୍ଡ ସମ୍ମୁଖରେ ପ୍ଲାଷ୍ଟିକ୍ ସାମଗ୍ରୀ ବିକ୍ରି କରନ୍ତି । ଗତ କିଛି ଦିନ ହେବ ସେ ସେଠାରୁ ଉଠି ଯାଇ ମାର୍କେଟ ବିଲ୍ଡିଂ ଭିତରେ ଦୋକାନ ପକାଇଥିଲେ । ସେଠାରୁ ଉଠା ଦୋକାନୀଙ୍କୁ ଉଠାଇ ଦିଆଯିବାରୁ ସୁବାଷ ମାନସୀକ ଅଶାନ୍ତିରେ ଥିଲେ । ସେ ବାଜାଜ୍ ଫାଇନାନ୍ସରୁ ଏକ ଲକ୍ଷ ଟଙ୍କା ଲୋନ୍ ନେଇ ବାଇକ୍ କିଣି ଦେଇଥିବା ବେଳେ ଏଏଚ୍‌ଜି ଗ୍ରୁପ୍‌ରୁ ଟଙ୍କା ଋଣ ନେଇଥିଲେ । ମାର୍କେଟ ବିଲ୍ଡିଂରୁ ଦୋକାନ ଉଠାଯିବା ପରେ ସେ ଚିନ୍ତାରେ ଆସିଥିଲେ । ସୁବାଷ ଋଣ କରିଥିବା ଟଙ୍କା କିଭଳି ସୁଝିବେ ତାହାକୁ ନେଇ ସେ ମାନସୀକ ଚାପରେ ଥିଲେ । ମଙ୍ଗଳବାର ଦିନ ୧୧ଟା ସମୟରେ ପତ୍ନୀ ବାଥ୍‌ରୁମ୍‌କୁ ଯାଇଥିଲେ । ଏହି ସମୟରେ ସୁବାଷ ପତ୍ନୀର ଶାଢୀ ସାହାର୍ଯ୍ୟରେ ଝୁଲି ପଡିଥିଲେ । ବାଥ୍‌ରୁମ୍‌ରୁ ପତ୍ନୀ ବାହାରିକୁ ପରେ ସୁବାଷ ଝୁଲୁଥିବା ଦେଖି ତୁରନ୍ତ ଲୁଗାକୁ କାଡି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ଋଣ ଚାପରେ ଆସି ଗତ ୯ତାରିଖରେ ଉଠା ଦୋକାନୀ ଅଜିତ ସାହାଣୀ ଆତ୍ମହତ୍ୟା କରିଥିଲେ । ସେ ୫ଲକ୍ଷ ଟଙ୍କାର ଲୋନ୍ କରିଥିଲେ । ତେଣୁ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ହଟା ଯିବା ପରେ ସେ ଚାପରେ ଥିଲେ । ଅନ୍ୟ ସ୍ଥାନରେ ଦୋକାନ କରିବା ପାଇଁ ଘର ଖୋଜିଥିଲେ ମଧ୍ୟ ପାଇନଥିଲେ । ଶେଷରେ ସେ ମାନସୀକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *