ରୋମାଞ୍ଚକର ମୋଡରେ ଦ୍ଵିତୀୟ ଟେଷ୍ଟ, ଚତୁର୍ଥ ଦିନରେ ଭାରତୀୟ ବୋଲରଙ୍କଠୁ ଚମତ୍କାର ଆଶା
ଜୋହାନ୍ସବର୍ଗ:-ରୋମାଞ୍ଚକର ସ୍ଥିତିରେ ଜୋହାନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ଦ୍ଵିତୀୟ ଟେଷ୍ଟ। ତେବେ ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି। ଭାରତ ଦ୍ଵିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଇନିଂସରେ ୨୭ ରନର ଅଗ୍ରଣୀ ଭିତ୍ତିରେ ଦକ୍ଷିଣ ଆଫ୍ରିକାକୁ ମିଳିଛି ୨୪୦ ରନର ବିଜୟ ଲକ୍ଷ୍ୟ। ଜବାବରେ ଘରୋଇ ଦଳ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ବିନିମୟରେ ୧୧୮ ରନ କରିଛି। ଡିନ୍ ଏଲଗର ୪୬ ଏବଂ ରସିଏ ଭାନ ଡର ଡସେନ ୧୧ ରନ କରି ଖେଳୁଛନ୍ତି। ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୧୨୨ ରନ ଦରକାର ଥିବା ବେଳେ ହାତରେ ରହିଛି ୮ ଓ୍ଵିକେଟ୍। ଚତୁର୍ଥ ଦିନରେ ହିଁ ଚମତ୍କାର ବୋଲିଂ ହିଁ ଭାରତକୁ ମ୍ୟାଚ୍ ଜିତାଇ ପାରିବ। ଭାରତୀୟ ବ୍ୟାଟସମ୍ୟାନଙ୍କ ବେପରୁଆ ସଟ୍ ଯୋଗୁଁ ଦକ୍ଷିଣ ଆଫ୍ରିକା ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୫୮ ଏବଂ ଚେତେଶ୍ଵର ପୂଜାରା ୫୩ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି।
ଭାରତ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୮୫/୨ରୁ ଖେଳ ଆରମ୍ଭ କରିଥିଲା। କ୍ରିଜରେ ଅପରାଜିତ ଥିବା ଚେତେଶ୍ଵର ପୂଜାରା ଓ ଆଜିଙ୍କ୍ୟ ରାହାଣେ ପ୍ରଥମ ସେସନରେ ଭଲ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ଦୁଇ ଅଭିଜ୍ଞ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ଦଳର ସ୍କୋରକୁ ୧୫୫ରେ ପହଞ୍ଚାଇଥିଲେ। ରାହାଣେ ଓ ପୂଜାରା ତୃତୀୟ ଓ୍ଵିକେଟ୍ରେ ୧୧୧ ରନ ଯୋଡିଥିଲେ। ରାହାଣେ ଦିନିକିଆ ଷ୍ଟାଇଲ୍ରେ ବ୍ୟାଟିଂ କରି ୭୮ ବଲ୍ରୁ ୮ ଚୌକା ଓ ୧ ଛକା ସହ ୫୮ ରନ କରିଥିଲେ। ଏହା ପରେ ପୂଜାରା(୫୩) ଆଉଟ୍ ହେବା ପରେ ଭାରତ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ହନୁମା ବିହାରୀ ଅପରାଜିତ ୪୦ ରନର ଇନିଂସ ଖେଳିଥିଲେ। ଅଶ୍ଵିନ ୧୬ ଏବଂ ଶାର୍ଦ୍ଦୁଳ ଠାକୁର ୨୮ ରନ କରି ଆଉଟ୍ ହୋଇଥିଲେ। ପନ୍ତ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଶାମି(୦) , ବୁମରା(୭) ଓ ସିରାଜ(୦) ଆଉଟ୍ ହୋଇଥିଲେ। ଭାରତ ଦ୍ଵିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହେବାରୁ ପ୍ରଥମ ଇନିଂସରେ ୨୭ ରନର ଅଗ୍ରଣୀ ଭିତ୍ତିରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୨୪୦ ରନର ବିଜୟ ଲକ୍ଷ୍ୟ ମିଳିଛି।
ଜବାବରେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଏଡନ ମାକ୍ରମ ଏବଂ ଡିନ୍ ଏଲଗର ଭଲ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ରେ ୪୭ ରନ ଯୋଡିଛନ୍ତି। ମାକ୍ରମ ୩୧ ରନ କରି ଆଉଟ୍ ହୋଇଛନ୍ତି। ପରେ ଡିନ୍ ଏଲଗର ଏବଂ କିଗାନ ପିଟରସନ ଦ୍ଵିତୀୟ ଓ୍ଵିକେଟ୍ରେ ୪୬ ରନ ଯୋଡିଛନ୍ତି। ୯୩ ରନ ସ୍କୋରରେ କିଗାନ ପିଟରସନ(୨୮) ଆଉଟ୍ ହୋଇଛନ୍ତି। ଅନ୍ୟପଟେ ଅଧିନାୟକ ଡିନ୍ ଏଲଗର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ୪୬ ରନ ଏବଂ ଡସେନ ୧୧ ରନ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ ଅଶ୍ଵିନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।