ଠିକାଦାରଙ୍କଠୁ ୧ ଲକ୍ଷ ଲାଞ୍ଚ : ବନ୍ଧା ହେଲେ ଓଟିଡିସିର ୨ଜଣ ଇଞ୍ଜିନିୟର

ଭୁବନେଶ୍ୱର:-ବିଲ୍ ପାସ୍ କରେଇ ଦେବା ନାଁରେ ଜଣେ ଠିକାଦାରଙ୍କ ଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡିଛି ଓଟିଡିସିର ୨ଜଣ ଇଞ୍ଜିନିୟରଙ୍କୁ । ଲାଞ୍ଚ ନେବା ଅଭିଯୋଗରେ ଦୁଇ ଇଞ୍ଜିନିୟରଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ଆସିଷ୍ଟାନ୍ଟ ଇଞ୍ଜିନିୟର (ସିଭିଲ୍‌) ପ୍ରଭାତ ନାୟକ ଏବଂ ଜୁନିଅର ଇଞ୍ଜିନିୟର (ସିଭିଲ୍‌) କ୍ଷୀରୋଦ ଆଚାର୍ଯ୍ୟ । ଏନେଇ ଭିଜିଲାନ୍ସ କୋରାପୁଟ ଡିଭିଜନ୍ କେସ୍ ନଂ ୧୩/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଏହାସହ ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ନୂଆପଡ଼ା ପାଥରା ଡ୍ୟାମ୍ ପାଥନିବାସରେ ଜଣେ ଠିକାଦାର ଟେଣ୍ଡର ନେଇ କିଛି ଭିତିଭୂମୀ କାର୍ଯ୍ୟ କରିଥିଲେ । ଏବାବଦକୁ ସମ୍ପୃକ୍ତ ଠିକାଦାର ଲକ୍ଷାଧିକ ଟଙ୍କା ପାଇବାର ଥିଲା । ଏହି ବିଲ୍ ପାସ କରେଇଦେବା ପାଇଁ ସେ ଗିରଫ ୨ଯନ୍ତ୍ରୀଙ୍କୁ ବାରମ୍ବାର ନିବେଦନ କରିଥିଲେ । ହେଲେ ସେମାନେ ବିଲ୍ ପାସ କରେଇବା ପାଇଁ ୧ଲକ୍ଷ ଟଙ୍କା ଲାନ୍‌ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ଠିକାଦାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ କୋରାପୁଟ୍ ଡିଭିଜନ୍ ଟିମ୍ ୨ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଶୁକ୍ରବାର ସକାଳେ ୨ଇଞ୍ଜିନିୟରଙ୍କୁ ଟଙ୍କା ଦେବା ପାଇଁ ଭୁବନେଶ୍ୱର ରାଜାରାଣୀ ପାର୍କ ନିକଟକୁ ଡାକିଥିଲେ । ଏହାପରେ ତାଙ୍କୁ ରସାୟନ ମିଶା ୧ଲକ୍ଷ ଟଙ୍କା ଦେଉଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଜିଲାନ୍ସ ଟିମ୍ ୨ଯନ୍ତ୍ରୀଙ୍କୁ କାବୁ କରି ନେଇଥିଲେ । ପରେ ସେମାନଙ୍କ ହାତ ଧୋଇବାରୁ ରସାୟନ ପଦାର୍ଥ ବାହାରିଥିଲା । ଏହାପରେ ଦୁହିଁଙ୍କୁ ଗିରଫ କରାଯାଇଥିଲା । ପରେ ଭିଜିଲାନ୍ସ ଟିମ୍ ୨ଯନ୍ତ୍ରୀଙ୍କ ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢ଼ଉ କରି ଯାଞ୍ଚ କରିଥିଲା ।

Leave a Reply

Your email address will not be published. Required fields are marked *