ମହିଳାଙ୍କଠୁ ଦୁର୍ବୃତ୍ତ ଝାମ୍ପିଥିଲା ୪୦ ହଜାର, ସାଲିଆ ସାହିରୁ ଧରାପଡିଲା ଗୁଜୁରାଟି ଲୁଟେରା

ଭୁବନେଶ୍ୱର:nନିଳାଦ୍ରିବିହାରରେ ଥିବା ବିଜୟା ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇ ଯିବାକୁ ଉଦ୍ୟମ କଲାବେଳେ ଦୁଇଜଣ ଗୁଜରାଟୀ ଲୁଟେରା ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ୪୦ ହଜାର ଟଙ୍କା ଝାମ୍ପି ନେଇ ପଳାଇଥିଲେ । ଏନେଇ ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଫୁଟେଜକୁ ଜବତ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ସାଲିଆ ସାହିରେ ରହୁଥିବା ରୁପେଶ ସୋଲାଙ୍କି । ତାଙ୍କ ଘର ଗୁଜରାଟରେ ବୋଲି ଜଣାପଡିଛି । ରୂପେଶ ନାମରେ ରହିଛି ଅନେକ ଅପରାଧୀକ ମାମଲା । ତାଠାରୁ ପୁଲିସ ମହିଳାଙ୍କ ଭ୍ୟାନିଟ୍‍ ବ୍ୟାଗ୍‍, ରୂପେଶ ପିନ୍ଧିଥିବା ମାସ୍କ ଓ ନାଲି ରଙ୍ଗର ଟିସାର୍ଟ ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ସେକ୍ଟର-୧ ନିଳାଦ୍ରିବିହାରରେ ରୁହନ୍ତି ନିରୂପମା ସ୍ୱାଇଁ(୩୦) । ୬ ତାରିଖ ରାତି ୮ଟା ସମୟରେ ନିଳାଦ୍ରିବିହାରରେ ବିଜୟା ବ୍ୟାଙ୍କ ଏଟିଏମରୁ ନିରୂପମ ୪୦ ହଜାର ଟଙ୍କା ଉଠାଇ ଭ୍ୟାନିଟ ବ୍ୟାଗରେ ରଖିଥିଲେ । ହେଲେ ଦୁଇ ଜଣ ଲୁଟେରା ମୁହଁରେ ମାସ୍କ ପିନ୍ଧି ସେଠାକୁ ଯାଇଥିଲେ । ଜଣେ ପଲସର ବାଇକରେ ବାହାରେ ଠିଆ ହୋଇଥିବା ସମୟରେ ଅନ୍ୟ ଜଣେ ଭିତରକୁ ପ୍ରବେଶ କରିଥିଲେ । କିଛି ବୁଝିବା ଆଗରୁ ନିରୂପମାଙ୍କୁ ଧକା ବେକା ମାରି ତାଙ୍କ ଭ୍ୟାନିଟ ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ମହିଳା ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଆଖି ପିଛୁଳାକେ କଳାପଲସର ବାଇକରେ ଦ୍ରୁତ ବେଗରେ ପଳାଇଥିଲେ । ଏନେଇ ନିରୂପମା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସବ୍‍ ଇନ୍ସପେକ୍ଟର ଅଶ୍ୱିନୀ ଜେନା ଘଟଣା ସ୍ଥଳର ପରିଦର୍ଶନ କରିବା ସହ ଏଟିଏମ ଭିତରେ ଲାଗିଥିବା ସିସିଫୁଟେଜକୁ ଜବତ କରିଥିଲେ । ଅପରାଧୀ ଜଣଙ୍କ ନାଲିରଙ୍ଗର ଏକ ଟିସାର୍ଟ ପିନ୍ଧିଥିବା ସହ ମାସ୍କ ପିନ୍ଧିଥିବାରୁ ଶ୍ରୀ ଜେନା ତାକୁ ଧରିବାକୁ ଏକ ଟିମ ଗଠନ କରିଥିଲେ । ଶେଷରେ ସାଲିଆ ସାହିରୁ ଗୁଜୁରାଟର ହାଇପ୍ରୋଫାଇଲ ଲୁଟେରା କୁହାଯାଉଥିବା ରୂପେଶ ସୋଲାଙ୍କିକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଶୁକ୍ରବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଛି । ଖସି ପଳାଇଥିବା ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *