ରଣାଙ୍କ ବିରୋଧରେ ବଢୁଛି ଠକେଇ ତାଲିକା, ଏକାଧିକ ପୁଲିସ ଏବଂ ସରକାରୀ ଅଫିସରଙ୍କୁ ଚୂନ ଲଗାଇଛି

ଭୁବନେଶ୍ୱର: ଠକେଇ ମାମଲାରେ ଗିରଫ ହୋଇଥିବା ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲ୍ଡର ସଂସ୍ଥା ମୁଖ୍ୟ ନିରଞ୍ଜନ ରଣାଙ୍କ ବିରୋଧରେ ଠକେଇ ଅଭିଯୋଗ ବଢିବାରେ ଲାଗିଛି । ପୁଣି ତାଙ୍କ ନାମରେ ୩ଟି ଅଭିଯୋଗ ହୋଇଛି । ସହିଦନଗର ଥାନା ପୁଲିସ ଶୁକ୍ରବାର ରଣାକୁ କୋର୍ଟ ଚାଲାଣ କରିଛି । ଏସ୍‌ଡିଜେଏମ୍ କୋର୍ଟରେ ରଣାଙ୍କୁ ଜାମିନ୍ ନମିଳିବାରୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ନିରଞ୍ଜନ ରଣା ଗିରଫ ହେବା ଖବର ପ୍ରଚାରିତ ହେବା ପରେ ଠକେଇ ତାଲିକା ବଢିବାରେ ଲାଗିଛି । ଶୁକ୍ରବାର ରଣା ବିରୋଧରେ ପୁଣି ୩ଟି ଅଭିଯୋଗ ହୋଇଛି । ବାଲିଅନ୍ତା ଥାନାରେ ବିଭୂଚରଣ ମିଶ୍ର ନାମକ ବ୍ୟକ୍ତି ଠକେଇ ହେବା ନେଇ ଅଭିଯୋଗ କରିଛନ୍ତି । ୨୦୧୦ରେ ବିଭୂଚରଣଙ୍କୁ ଜମି ଦେବାକୁ କହି ନିରଞ୍ଜନ ରଣା ତାଙ୍କ ଠାରୁ ୩ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ । ହେଲେ ଜମି ନଦେଇ ସେ ଫେରାର ହୋଇଯାଇଥିଲେ । ସେହିଭଳି ରଞ୍ଜନ ସାହୁ ନାମକ ବ୍ୟକ୍ତିଙ୍କୁ ରଣା ଜମି ଦେବାକୁ କହି ୭ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ତାଙ୍କୁ ଚୁକ୍ତି ଅନୁସାରେ ଜମି ଦେଇ ପାରିନଥିଲେ । ଏନେଇ ରଞ୍ଜନ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ମଧ୍ୟ ନିରଞ୍ଜନଙ୍କ ଦ୍ୱାରା ୧୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଡାକ୍ତର ଜଣଙ୍କ ଏନେଇ ଡିସିପିଙ୍କୁ ଅବଗତ କରାଇବା ପରେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ।
ନିରଞ୍ଜନ ରଣାଙ୍କ ବିରୋଧରେ ଠକେଇ ଅଭିଯୋଗ ବଢୁଛି । ତେଣୁ ତାଙ୍କୁ ଅଣାଯାଇ ଅନେକ ଗୁଡିଏ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ତାଙ୍କୁ ରିମାଣ୍ଡରେ ଆଣି ଏହି ସବୁ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସେ କେଉଁମାନଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି? କେତେ ଜଣଙ୍କୁ ଜମି ଦେଇଛନ୍ତି? ଆଉ କେତେ ଜଣଙ୍କ ଜମି ଦେଇ ପାରିନାହାନ୍ତି, ତାହାର ଯାଞ୍ଚ କରାଯିବ ବୋଲି ଡିସିପି କହିଛନ୍ତି । ତେଣୁ ନିରଞ୍ଜନଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଖୁବ୍ ଶୀଘ୍ର କୋର୍ଟରେ ଆବେଦନ କରିବ ।
ରଣା ୨୦୧୬ରେ ଗିରଫ ହେବା ପରେ ତାଙ୍କ ବିରୋଧରେ କମିଶନରେଟ ପୁଲିସ ଜମାକାରୀ ସ୍ୱାର୍ଥରକ୍ଷା ଆଇନ୍‌(ଓପିଆଇଡି)ଆକ୍ଟ ଲଗାଇଥିଲା । ଏହି ଆକ୍ଟ ଅନୁସାରେ ରଣାର ଜମିକୁ ବାଜ୍ୟାପ୍ତି କରାଯାଇ ଜମାକାରୀଙ୍କୁ ଟଙ୍କା ଦିଆଯାଇଥାନ୍ତା । କିନ୍ତୁ ଏହି ଆକ୍ଟ ଲଗାଯିବା ପରେ ମଧ୍ୟ ତାଙ୍କର ଜମି ବାଜ୍ୟାପ୍ତି ହୋଇପାରିନଥିଲା । ଟଙ୍କା ଆଣିଥିବା ଜମାକାରୀଙ୍କୁ ଟଙ୍କା ଫେରାଇ ଦେବା ପାଇଁ କୋର୍ଟରେ ରଣା ସତ୍ୟପାଠ ଦେଇଥିଲା । କିନ୍ତୁ ସେ ଜାମିନ୍ ପାଇବା ପରେ ମଧ୍ୟ ଲୋକଙ୍କୁ ଜମି ଦେଇନଥିଲା । ବରଂ ଲୋକଙ୍କୁ ପୁଣି ଠକେଇ କରିବାରେ ସେ ଲାଗିପଡ଼ିଥିଲା । ତେଣୁ ସେତବେଳେ ଏହି ଆକ୍ଟ କାର୍ଯ୍ୟକାରୀ କଣ ପାଇଁ ହୋଇପାରିନଥିଲା । ସେନେଇ ମଧ୍ୟ କୋର୍ଟଙ୍କ ରିପୋର୍ଟ ମଗାଯାଇ ଯାଞ୍ଚ କରାଯିବ ବୋଲି ଡିସିପି କହିଛନ୍ତି ।

Leave a Reply

Your email address will not be published. Required fields are marked *