ୟାସ୍ : ଟୁଇନସିଟିରେ ବୋହିବ ୧୧୦କିମି ବେଗରେ ପବନ
ଭୁବନେଶ୍ୱର;-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ ଅତି ଉଗ୍ର ରୂପ ଧରି ସ୍ଥଳଭାଗ ଆଡ଼େ ମୁହାଁଇଥିବାବେଳେ ଏହା ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଅବଶ୍ୟ ଉତ୍ତର ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ ଓ ସେଠାରେ ଏହାର ପ୍ରଭାବ ବେଶୀ ରହିବ, କିନ୍ତୁ ବାତ୍ୟା ‘ୟାସ’ର ପ୍ରଭାବରେ ରାଜ୍ୟର ୧୫ଟି ଜିଲ୍ଲାରେ ପବନ ଓ ବର୍ଷାର ଆଶଙ୍କା ରହିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ସର୍ବାଧିକ ଘଣ୍ଟା ପ୍ରତି ୧୧୦କିମି ବେଗରେ ପବନ ବୋହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଭାଗର ପ୍ରେସ୍ ରିଲିଜ୍ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବରେ ରାଜ୍ୟର ୧୫ଟି ଜିଲ୍ଲା ଯଥା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଅନୁଗୁଳ ଓ ଢେଙ୍କାନାଳରେ ପବନର ଗତି ଅଧିକ ରହିବ। ୨୫ତାରିଖ ଅପରାହ୍ନରେ ପବନର ଗତି ଘଣ୍ଟା ପ୍ରତି ୯୦ରୁ ୧୦୦କିମି ବେଗରେ ବୋହିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ପୁରୀ ଜିଳ୍ଲାରେ ୨୫ତାରିଖ ଅପରାହ୍ନରୁ ପବନର ଗତି ୬୦ରୁ ୯୦କିମି ବା ତା’ଠୁ ଅଧିକ ରହିବ। ଏହି ସମୟରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପବନର ଗତି ୪୦ରୁ ୬୦କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ସେହିପରି, ୨୫ତାରିଖ ସନ୍ଧ୍ୟାବେଳକୁ ପବନର ଗତି ଧୀରେଧୀରେ ବୃଦ୍ଧି ପାଇଁ ରାତିରେ ଓ ୨୬ତାରିଖ ଭୋର ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଘଣ୍ଟା ପ୍ରତି ୧୨୦କିମି ରୁ ୧୮୫କିମି ପର୍ଯ୍ୟନ୍ତ ପବନ ବୋହିବାର ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୧୦୦ରୁ ୧୪୫କିମି ବେଗରେ ପବନ ବୋହିବ। ଏହି ଅବଧିରେ ଖୋର୍ଦ୍ଧା, କଟକ, ପୁରୀ ଓ ଯାଜପୁର ଜିଲ୍ଲାରେ ମଧ୍ୟ ପବନର ଗତି ଘଣ୍ଟା ପ୍ରତି ୮୦ରୁ ୧୧୦କିମି ରହିବ।
୨୬ତାରିଖ ସକାଳୁ ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ପବନର ଗତି ଘଣ୍ଟାପ୍ରତି ୬୦ରୁ ୮୦କିମି ବେଗରେ ପ୍ରବାହିତ ହେବ। ଏହି ସମୟରେ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପବନର ଗତି ୫୦ରୁ ୭୦କିମି ରହିବ ବୋଲି ପାଣିପାଗ ବିଭାଗ କହିଛି।
ତେବେ ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ୨୭ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପବନର ଗତି ଘଣ୍ଟା ପ୍ରତି ୫୦ରୁ ୭୦କିମି ବେଗରେ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।