ଟୁଲକିଟ୍‌ ବିବାଦ: ଦିଲ୍ଲୀ-ଗୁରୁଗ୍ରାମର ଟ୍ବିଟର କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସର ଚଢ଼ାଉ

ନୂଆଦି-ଲ୍ଲୀ: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍‌ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଏବଂ ଗୁରୁଗ୍ରାମର ଟ୍ବିଟର ଇଣ୍ଡିଆ କାର୍ଯ୍ୟାଳୟରେ ପହଞ୍ଚିଛି। ଟୁଲକିଟ୍‌ ମାମଲାରେ ପୋଲିସ ଟିମ୍‌ ଟ୍ବିଟର ଅଫିସ୍‌ରେ ଚଢ଼ାଉ କରିଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଟୁଲକିଟ୍‌ ମାଧ୍ୟମରେ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ନେଇ କଂଗ୍ରେସ ଉପରେ ଅଭିଯୋଗ କରିଥଲା। ଏହା ପରେ ଟୁଲକିଟ୍‌ ସମ୍ପର୍କୀତ ଦସ୍ତାବିଜ୍‌କୁ ନକଲି ବୋଲି କହିବା ସହ କଂଗ୍ରେସ ଦିଲ୍ଲୀ ଏବଂ ଛତିଶଗଡ଼ ପୋଲିସରେ ଏତଲା ଦେଇଥିଲା।

ଏହା ସହ ଟ୍ବିଟର ପକ୍ଷରୁ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଦ୍ବାରା ଟୁଲକିଟ୍‌କୁ ନେଇ କରାଯାଇଥିବା ଟ୍ବିଟ୍‌କୁ  ମ୍ୟାନ୍ୟୁପୁଲେଟେଡ୍‌ ମିଡିଆ କହି ଏହାର ଟ୍ୟାଗ୍‌ ଲଗାଇଥିଲା। ଦିଲ୍ଲୀ ଏବଂ ଗୁରୁଗ୍ରାମ କାର୍ଯ୍ୟାଳୟରେ ଛାନଭିନ କରିବାକୁ ପୂର୍ବରୁ ଦିଲ୍ଲୀ ପୋଲିସ ଟ୍ବିଟର ଇଣ୍ଡିଆକୁ ମ୍ୟାନ୍ୟୁପୁଲେଟେଡ୍‌ ମିଡିଆକୁ ନେଇ ନୋଟିସ୍‌ ପଠାଇଥିଲା। ସମ୍ବିତ ପାତ୍ରାଙ୍କ ଟ୍ବିଟ୍‌କୁ କାହିଁକି ମ୍ୟାନୁପୁଲେଟେଡ୍‌ ମିଡିଆ କୁହାଗଲା ବୋଲି ପୋଲିସ ଟ୍ବିଟର ଇଣ୍ଡିଆକୁ ପଚାରିଥିଲା।

ଟ୍ବିଟ୍‌କୁ ମ୍ୟାନ୍ୟୁପୁଲେଟେଡ୍‌ ବୋଲି କହିବା ପ​ରେ ଟ୍ବିଟ୍‌ର ଉପରେ କେନ୍ଦ୍ର ସରକାର ମଧ୍ୟ ଆପତ୍ତି ଉଠାଇଥିଲେ। ମାମଲାର ଯାଞ୍ଚ ଚାଲିଥିବା ବେଳେ ସୋସିଆଲ ମିଡିଆ ପକ୍ଷରୁ ଏପରି ନିର୍ଣ୍ଣୟ ନିଆଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ। ଟୁଲକିଟ୍‌ ମାମଲା ସାମ୍ନାକୁ ଆସିବା ପରେ କଂଗ୍ରେସ ପକ୍ଷରୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ଦିଆଯାଇଥିଲା।   ଏହି ମାମଲାରେ ପୋଲିସ ରମଣ ସିଂହଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

Leave a Reply

Your email address will not be published. Required fields are marked *