ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
ରଣପୁର:-ରବିବାର ଦିନ ବିଳମ୍ବିତ ରାତିରେ ରଣପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ପୋଲିସ ଗାଡ଼ିକୁ ଦେଖି ଜଣେ ଯୁବକ ପୋଖରୀକୁ ଡେଇଁ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ରଣପୁର ଥାନା ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ଦାବିରେ ଲୋକମାନେ ରାତିସାରା ଶବକୁ ଥାନା ପରିସରରେ ପକାଇ ରଖିଥିଲେ । ଅଧିକାରୀମାନଙ୍କ ସହାୟତା ପ୍ରଦାନ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ କରିବାକୁ ଲୋକେ ପୋଲିସକୁ ଦେଇଥିଲେ । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ରବିବାର ଦିନ ବି ମହାମାରୀ କରୋନା ପାଇଁ ସଟ୍ଡାଉନ୍ ଚାଲିଥିବା ବେଳେ ବିଳମ୍ବିତ ରାତିରେ ରଣପୁର ପୋଲିସ ପାଟ୍ରୋଲିଂ କରୁଥିଲା । ପୁଲିସ ଗାଡ଼ିଟି ତଳସଡ଼କା ଦେଇ ଗଲାବେଳେ ସୁଆଁସିଆ ସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ କେତେକ ଯୁବକ ଛିଡ଼ା ହୋଇଥିଲେ । ପୋଲିସ୍ ପାଟ୍ରୋଲିଂ ଗାଡ଼ି ସେଠାରେ ପହଞ୍ଚିବା ପରେ ଯୁବକମାନେ ଯେ ଯୁଆଡ଼େ ପାରିଲେ ଦୌଡ଼ିଥିଲେ । ଏମାନଙ୍କ ମଧ୍ୟରେ ସୁଆଁସିଆ ସାହିର ସ୍ୱର୍ଗତ ବ୍ରଜ କିଶୋର ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ(୩୫) ଜୋର୍ରେ ଦୌଡ଼ି ଯାଇ ସୁଆଁସିଆ ସାହି ବିଦ୍ୟାଳୟ ନିକଟରେ ଥିବା ନେଳିଆ ପୋଖରୀକୁ ଡେଇଁ ପଡିଥିଲେ କିନ୍ତୁ ପୋଖରୀରୁ ଆଉ ବାହାରି ପାରି ନଥିଲେ । ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ପୁଲିସ ଓ ସ୍ଥାନୀୟ କିଛି ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ସୁଆଁସିଆ ସାହିର କିଛି ମହିଳା ଓ ପୁରୁଷ ମୃତ ସନ୍ତୋଷଙ୍କ ଶବକୁ ଆଣି ରଣପୁର ଥାନା ପରିସରରେ ରାତି ସାରା ରଖି କ୍ଷତିପୂରଣ ଦାବି କରିଥିଲେ । ମୃତ ସନ୍ତୋଷ ରଣପୁର ବଜାରରେ ଏକ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ଘରେ ତାଙ୍କର ବିଧବା ମାଆ, ସ୍ତ୍ରୀ ଓ ଦୁଇ ବର୍ଷର ଛୋଟ ଝିଅ ଥିବା ଜଣାଯାଇଛି ।
ଖବର ପାଇ ଆଜି ଶରଣକୁଳ ଏସ୍ଡିପିଓ ଏସ୍. ଟପ୍ପୋ, ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା, ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ଆସି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସରକାରୀ ନିୟମ ଅନୁସାରେ ମୃତ ସନ୍ତୋଷଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରଣପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।