ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର:-ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଭୁବନେଶ୍ୱର ଓ କଟକ ସମେତ ଯେଉଁସବୁ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। କେବଳ ଅତ୍ୟନ୍ତ ଜରୁରୀ ମାମଲାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆଧାରରେ ହିଁ ସରକାରୀ ଅଫିସକୁ ଯିବା ପାଇଁ ଅନୁମତି ମିଳିବ। ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ପାଇଁ ସେମାନେ ଇ-ଅଭିଯୋଗ ପୋର୍ଟାଲକୁ ଉପଯୋଗ କରିପାରିବେ।

ସେହିପରି ଅଫିସଗୁଡ଼ିକରେ କୌଣସି ବୈଠକବେଳେ ସର୍ବନିମ୍ନ ୨ମିଟର ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନଲାଇନରେ ବୈଠକ କରିବା ଉପରେ ଯଥାସମ୍ଭବ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅଫିସ୍ କାମଗୁଡ଼ିକ ମଧ୍ୟ ଭର୍ଚୁଆଲ ମୋଡରେ ସଂଚାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ସରକାର କହିଛନ୍ତି। ଏହି ନିର୍ଦ୍ଦେଶନାମାକୁ ସମସ୍ତ ଅଫିସକୁ ଅବଗତ କରାଇବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ପ୍ରଥମେ ବିଡିଏ ଓ ବିଏମସି ପକ୍ଷରୁ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି ହୋଇ ସେହି ଦୁଇ ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା।

Leave a Reply

Your email address will not be published. Required fields are marked *