ଛତିଶଗଡ଼ ନକ୍ସଲ ଆକ୍ରମଣରେ କଳାହାଣ୍ଡିର ଯବାନ ସହିଦ,

କୋକସରା:-ଛତିଶଗଡ଼ ବିଜାପୁର ନକ୍ସଲଙ୍କ ବର୍ବରୋଚିତ ହାମଲାରେ ୨୨ ବୀର ଯବାନ ସହିଦ ହୋଇଛନ୍ତି। ସହିଦ ଯୁବକଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ଧନସରା ଗ୍ରାମର ଯବାନ ସୁବାସ ନାୟକ ମଧ୍ୟ ସହିଦ ହୋଇଛନ୍ତି। ସୁବାସଙ୍କ ବାପା ସ୍ଵର୍ଗତ ସୀତାରାମ ନାୟକ ମୂଳବାସିନ୍ଦା କୋକସରା ବ୍ଲକ ଧନସରା ଅଞ୍ଚଳର। ସେ ଆଜିକୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଗାଁ ମାଟି ଛାଡି ପେଟପାଟଣା ପାଇଁ ଛତିଶଗଡ଼ ବିଜାପୁର ବାସାଗୁଡା ଗ୍ରାମରେ ରହୁଥିଲେ।

ସହିଦ ଯବାନ ସୁବାସଙ୍କ ଜନ୍ମ ୧୯୮୬ ମସିହାରେ ବାସାଗୁଡାରେ ହୋଇଥିଲା। ପାଠପଢା ସରିବା ପରେ ସେ ୨୦୧୯ରେ ସେନାବାହିନୀରେ ଯୋଗ ଦେଇଥିଲେ ଓ ଡିଆରଜି ଯବାନ ଭାବରେ ବିଜାପୁର ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଗତ ୨ ତାରିଖରେ ସେ ଘରୁ ବାହାରି କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ତେବେ ଗତ ୪ ତାରିଖ ଦିନ ବିଜାପୁର ଅଞ୍ଚଳର ଘଞ୍ଚ ଜଙ୍ଗଲରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ଛପି ରହିଥିଲେ। ରକ୍ତମୁଖା ନକ୍ସଲଙ୍କ ଯୋଜନାବଦ୍ଧ ଆକ୍ରମଣରେ ୨୨ ଯବାନ ସହିଦ ହେବା ସହ ୩୧ ଆହତ ହୋଇଥିଲେ।

ଏହି ଆକ୍ରମଣରେ ସହିଦ ହୋଇଥିଲେ ସୁବାସ ନାୟକ। ତାଙ୍କ ସହିଦ ହେବା ଖବର ଶୁଣିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ବାସାଗୁଡା ଗ୍ରାମ। ଘରେ ବିଧବା ମା ସହ ସ୍ତ୍ରୀ, ଦୁଇ ଛୋଟ ଝିଅ ଓ ଦେଢ ବର୍ଷର ନାବାଳକ ପୁଅ ଅଛନ୍ତି। ସୁବାସଙ୍କ ସହିଦ ଖବର ପାଇବା ପରେ ତାଙ୍କ ପୈତୃକ ଗ୍ରାମ ଧନସରାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ସୁବାସ କୋକସରା ବ୍ଲକ ଚିକିଲି ଗ୍ରାମରୁ ବିବାହ କରିଥିଲେ ଓ ଭବିଷ୍ୟତରେ ଏହି ଗାଁରେ ରହିବା ପାଇଁ ଘର ମଧ୍ୟ ନିର୍ମାଣ କରିଥିଲେ। ହେଲେ ତାଙ୍କ ସବୁ ସ୍ୱପ୍ନ ଅଧାରେ ରହିଗଲା। ତାଙ୍କ ମୃତ୍ୟୁରେ କୋକସରା ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *