ଜେଲ୍ ଗଲେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର:- ବେଆଇନ ଭାବେ ଟଙ୍କା ଠୁଳ କରିବା ମାମଲାରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ୍ ପଠାଇଛି। ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ତାଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାରଙ୍ଗ ତହସିଲଦାର ଶ୍ରୀ ନାୟକ ଗତକାଲି ନିଜର ବାସଭବନକୁ ସରକାରୀ ଗାଡ଼ିରେ ଯାଉଥିବାବେଳେ ଭୁବନେଶ୍ୱରର ରଘୁନାଥପୁରସ୍ଥିତ ମଣିତ୍ରିଭୁବନ ଆପର୍ଟମେଣ୍ଟ ସମ୍ମୁଖରେ ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ସହ ତାଙ୍କର ଯୁକ୍ତିତର୍କ ବେଳେ ସେ ଗାଡ଼ି ଭିତରେ ରଖି ଥିବା ୧ଲକ୍ଷ ୭ହଜାର ଟଙ୍କାକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ। ଏହି ଟଙ୍କାକୁ ଭିଜିଲାନ୍ସ ଟିମ୍ ଜବତ କରିଥିଲେ ମଧ୍ୟ ଏତେ ଟଙ୍କା ସେ କେଉଁଠୁ ଆଣିଲେ ତା’ର ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ କହିଛି। ଏହାସହିତ ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନରେ ଏକ ମାମଲା ରୁଜୁ କରି ତାଙ୍କର ବାରଙ୍ଗସ୍ଥିତ ବାସଭବନ, ଢେଙ୍କାନାଳର ଗଁଦିଆ ଥାନା ଅନ୍ତର୍ଗତ ପୈତୃକ ଗାଁ ଗୋପାଳପୁରରେ ମଧ୍ୟ ଏକକାଳୀନ ଚଢ଼ଉ କରିଥିଲା। ଚଢ଼ଉ ବେଳେ ତାଙ୍କର ଭୁବନେଶ୍ୱରରେ ୩ଟି ପ୍ଲଟ୍‌, ଗୋଟିଏ ଚାରିଚକିଆ ଗାଡ଼ି, ୨ଟି ଦୁଇଚକିଆ ଗାଡ଼ି, ୯୦୯୨୫ ଟଙ୍କାର ସୁନା ଓ ରୂପା ଅଳଙ୍କାର, ମୂଲ୍ୟବାନ ଗୃହ ଆସବାବପତ୍ର ସମେତ ୨୫ଲକ୍ଷ ଟଙ୍କାର ବୀମା ଦସ୍ତାବିଜ ମିଳିଥିଲା। ୨୦୧୬ରୁ ଏପର୍ଯ୍ୟନ୍ତ ସେ ବାରଙ୍ଗ ତହସିଲଦାର ଭାବେ ୫୫.୬୯ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

Leave a Reply

Your email address will not be published. Required fields are marked *