ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁ ଦୃଷ୍ଟିରୁ ସମ୍ମାନ ରହିଛି । ଆପଣଙ୍କ ସମ୍ମାନ ଏ ଗୃହର ସମ୍ମାନ ଓ ଓଡ଼ିଶାର ସମ୍ମାନ । ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଭୁପିନ୍ଦର ଦାବି କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଯାହା ଘଟଣା ଘଟିଲା ତାହା ଅସାମ୍ବିଧାନିକ ବୋଲି କହିଛନ୍ତି । ସେହିଭଳି ବିଜେପି ସଦସ୍ୟଙ୍କ କାର୍ଯ୍ୟକଳାପ ଦ୍ୱାରା ଯେଉଁଭଳି ଭାବେ ପଦମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି ତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରତାପ ଦେବ । ଘଟଣାରେ ସମ୍ପୃକ୍ତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି ପ୍ରତାପ ଦେବ ।

ସେଭଳି ବିଜେଡି ସଦସ୍ୟ ଶଶିଭୂଷଣ ବେହେରା କହିଛନ୍ତି- ଗୃହ ଭିତରେ ଏଭଳି ଅଶୋଭନୀୟ ଘଟଣା ଗୃହର ମର୍ଯ୍ୟାଦା ଓ ଚୌକିର ମର୍ଯ୍ୟାଦାକୁ ନଷ୍ଟ କରିଛନ୍ତି । ବିଧାନସଭାର ନିୟମ ଓ କାର୍ଯ୍ୟବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସେହିଭଳି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି- ଏହା ଇତିହାସର ଏକ କଳଙ୍କିତ ଅଧ୍ୟାୟ । ପୂର୍ବରୁ ମଇକ୍ରୋଫୋନ ଭାଙ୍ଗିଥିବାରୁ ୨୫ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ଏଭଳି ବ୍ୟବହାର କେବେ ହୋଇ ନ ଥିଲା । କୌଣସି ସଦସ୍ୟ ଏ କଥାକୁ ଗ୍ରହଣ କରିପାରିବେ ନାହିଁ । ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବାଚସ୍ପତି ନିର୍ଦଳୀୟ । ସେ ଉଭୟ ଶାସକ ଓ ବିରୋଧୀ ଦଳକୁ ସୁରକ୍ଷା ଦେଇଥାନ୍ତି । ତେଣୁ ଛୋଟ ଛୋଟ କଥାକୁ ନ ଧରି ବାଚସ୍ପତି ବିଶାଳ ହୃଦୟର ପରିଚୟ ଦିଅନ୍ତୁ ବୋଲି କହିଛନ୍ତି ସାଲୁଜା । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି । ଓଡ଼ିଶାର ବହୁତ ଭଲ ଗୃହ ପରିଚାଳନା ହୁଏ । ଅନ୍ୟ ରାଜ୍ୟରେ ଓଡ଼ିଶା ବିଧାନସଭାର ଡିବେଟ ଓ ପରିଚଳନାକୁ ନେଇ ଚର୍ଚ୍ଚା ହୁଏ । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଖରାପ ପରମ୍ପରା ସୃଷ୍ଟି ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁକ୍ଷ ବିବୃତିରେ କହିଛନ୍ତି ଏହି ଘଟଣା ଦୁଃଖ ଦେଇଛି । ୨୬ ବର୍ଷ ବିଧାନସଭା ଆସିଛି କିନ୍ତୁ ଏମିତି ନିନ୍ଦନୀୟ ଘଟଣା ଦେଖିନି । ଆପଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ବାଚସ୍ପତି ରୁଲିଂ ଦେଇ କହିଛନ୍ତି ଭିଡିଓ କ୍ଲିପିଂ ଦେଖିବା ପରେ ନିଷ୍ପତ୍ତି ନେବି । କେଉଁ ବିଧାୟକ କଣ କରିଛନ୍ତି ସ୍ପଷ୍ଟ ହେବା ପରେ ଯାହା ପଦକ୍ଷେପ ନିଆଯିବ । ଭିଡିଓ କ୍ଲିପିଂକୁ ଅନୁଧ୍ୟାନ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ତାଙ୍କ ପ୍ରକୋଷ୍ଠକୁ ଡାକିବା ସହ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *