ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି

ଭୁବନେଶ୍ୱର:– ରାଜସ୍ବ ଆଦାୟ କ୍ଷେତ୍ରରେ ବିଏମସିର ବଡ଼ ସଫଳତା । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି । କେବଳ ହୋଲ୍ଡିଂ ଟ୍ୟାକ୍ସରୁ ଆଦାୟ ହୋଇଛି ୫୦କୋଟିରୁ ଅଧିକ ରେକର୍ଡ ପରିମାଣର ଅର୍ଥ । ୧ ହଜାର ୬୦୮ଜଣ ବଡ଼ ବଡ଼ ଖିଲାପକାରୀ ଚିହ୍ନଟ ହୋଇଛନ୍ତି । ଖିଲାପକାରୀଙ୍କ ଠାରେ ପଡ଼ି ରହିଛି ୩୩ କୋଟି ଟଙ୍କା ।ବାରମ୍ବାର ନୋଟିସ ପରେ ମଧ୍ୟ ଟିକସ ଦେବାରେ ଅବହେଳା କରୁଛନ୍ତି ବିଭିନ୍ନ ସଂସ୍ଥା । ଖିଲାପକାରୀଙ୍କ ପାଖରେ ବକେୟା ପଡିଛି ପ୍ରାୟ ୩୩କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ । ଆଦାୟ ପାଇଁ ସେମାନଙ୍କ ନାମରେ ସର୍ବସାଧାରଣରେ ଲଗାଯାଇଛି ନାମ ତାଲିକା । ପଠାଯାଇଛି ରେଡ୍ ନୋଟିସ୍ । ଏବେ ଓପିଡିଆର କେସ୍ ରୁଜୁ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କରାଯାଉଛି ନୋଟିସ୍ । ଚଳିତ ଆର୍ଥିକ ବର୍ଷରେ ବିଏମସି ମୋଟ ୯୦କୋଟି ଟଙ୍କାର ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ରଖିଥିଲା । ସେଥିରୁ ୪୩କୋଟି କେବଳ ହୋଲ୍ଡିଂ ଟ୍ୟାକ୍ସ । ତେବେ କୋଭିଡ ଓ ବର୍ଦ୍ଧିତ ଟ୍ୟାକ୍ସ ସ୍ଥଗିତ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସତ୍ତ୍ୱେ ରେକର୍ଡ ପରିମାଣର ପ୍ରାୟ ୫୦କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇଛି । ଯାହା ବିଏମସି ପାଇଁ ସର୍ବକାଳୀନ ରେକର୍ଡ ।ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟ କମ୍ ହେବା ଆଶଙ୍କା ଥିଲା । ତଥାପି ୩ଟି ଜୋନରେ ଜୋନାଲ ଡେପୁଟି କମିଶନରଙ୍କ ସହିତ ୱାର୍ଡ ଅଫିସରଙ୍କୁ ଟାର୍ଗେଟ୍ ଦିଆଯାଇଥିଲା । ବାରମ୍ବାର ନୋଟିସ୍ ପରେ ମଧ୍ୟ ବଡ଼ ଖିଲାପକାରୀ ଅବହେଳା କରିବା ପରେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ପାହାଳ ସ୍ଥିତ ଆପେକ୍ସ କଲେଜ ୨୦୧୨-୧୩ ମସିହାରୁ ବକେୟା ଥିବା ୬ କୋଟି ୨୯ଲକ୍ଷ ଟଙ୍କାରୁ ଶତକଡା ୫୦ ପ୍ରତିଶତ ୩କୋଟି ଟଙ୍କା ପ୍ରଦାନ କରିଛି । ଅବଶିଷ୍ଟ ପର୍ଯ୍ୟାୟ କ୍ରମେ ପଇଠ କରିବାକୁ ଲିଖିତ ଦେଇଛି ।ସେପଟେ ବଡ଼ ବଡ଼ ଖିଲାପକାରୀଙ୍କ ଠାରୁ ବକେୟା ଟ୍ୟାକ୍ସ ଆଦାୟ ପାଇଁ ନିୟୋଜିତ ହୋଇଥିବା କିନ୍ନରଙ୍କ ଟିଜି ସ୍ବିକୃତୀ ଗ୍ରୁପ୍ ଦୁଇ ମାସରେ ପ୍ରାୟ ୫କୋଟି ଟଙ୍କାର ବକେୟା ହୋଲ୍ଡିଂ ଟେକ୍ସ ଆଦାୟରେ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *