ଯାତ୍ରୀଙ୍କୁ ଠେଲି ନାହାନ୍ତି ମୋ’ ବସ୍ ଗାଇଡ୍: ବୋଥ୍ରା

ଭୁବନେଶ୍ୱର:-ମୋ ବସ୍ ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେବା ଘଟଣାରେ ନୂଆ ଖୁଲାସା ସାମ୍ନାକୁ ଆସିଛି। CRUT ଏମଡି ଅରୁଣ ବୋଥ୍ରା ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ବୋଥ୍ରା କହିଛନ୍ତି, ଯାତ୍ରୀ ଜଣକ ଯେଉଁ ଅଭିଯୋଗ କରିଥିଲେ, ସେହି ଆଧାରରେ ଆମେ ଗାଇଡ୍ ବା ବସ୍ କଣ୍ଡକ୍ଟରକୁ ଅନ୍ତର କରିସାରିଛୁ। କିନ୍ତୁ ଭିଡିଓ ଫୁଟେଜ ଆସିବା ପରେ ଚିତ୍ର ଅଲଗା ଦେଖିବାକୁ ମିଳିଛି।

ବୋଥ୍ରା କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷା ଓ ସୁରକ୍ଷିତ ଯାତ୍ରା କ୍ରୁଟ୍ ପାଇଁ ପ୍ରାଥମିକତା ରହିଆସିଛି। ଗତ ଦୁଇ ବର୍ଷ ମଧ୍ୟରେ ଏମିତି ଘଟଣା କେବେ ଘଟିନି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଭିଡିଓରେ ସ୍ପଷ୍ଟ ଦେଖାଦେଇଛି ଯେ, ଯାତ୍ରୀ ଜଣଙ୍କ କଣ୍ଡକ୍ଟରଙ୍କ ସହ ଯୁକ୍ତି କରୁଛନ୍ତି। ସବୁ ପରେ ବି ଘଟଣାରେ ଯଦି କ୍ରୁଟ୍ ଷ୍ଟାଫ୍ ଦୋଷୀ ସାବ୍ୟସ୍ତ ହୁଅନ୍ତି। ତେବେ ସେମାନଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋଥ୍ରା କହିଛନ୍ତି।ବୋଥ୍ରା କହିଛନ୍ତି, ଭିଡିଓ ଫୁଟେଜରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ଗାଇଡ୍ ଜଣକ ଯାତ୍ରୀଙ୍କୁ ଠେଲି ନାହାନ୍ତି। ବରଂ ଆହତ ହୋଇଥିବା ଯାତ୍ରୀ ଜଣକ ଗାଇଡଙ୍କୁ ଠେଲାପେଲା କରିଛନ୍ତି। ତେଣୁ ମୋ’ ବସ୍ ଗାଇଡ୍ ବସ୍ ଭିତରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବୋଥ୍ରା କହିଛନ୍ତି। ବସରୁ ଠେଲିବା ଘଟଣାରେ ମଞ୍ଚେଶ୍ୱର ଥାନାରେ ଆହତ ଯାତ୍ରୀ ଯେଉଁ ଏତଲା ଦେଇଛନ୍ତି, ତା’ର ତଦନ୍ତ ହେବ ବୋଲି ବୋଥ୍ରା କହିଛନ୍ତି।

ଗତକାଲି ମୋ ବସ୍ କଣ୍ଡକ୍ଟର ଚଳନ୍ତା ଗାଡିରୁ ଯାତ୍ରୀଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଥିଲା। ଭଡ଼ାକୁ କେନ୍ଦ୍ର କରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଥିଲା। ତଳେ ପଡିଯିବାରୁ ଯାତ୍ରୀଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି।

ଆହତ ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଶ୍ରୀୟା ଟକିଜରୁ ହଂସପାଳ ଯିବା ପାଇଁ ମୋ ବସ୍‌ରେ ଉଠିଥିଲେ। ତାଙ୍କ ଟିକେଟ୍ ମାଷ୍ଟରକ୍ୟାଣ୍ଟିନରୁ କଟାଯିବାକୁ ନେଇ ସେ ଆପତ୍ତି କରିଥିଲେ। ଏହାକୁ ନେଇ ବସ୍ କଣ୍ଡକ୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ପରେ କଣ୍ଡକ୍ଟର ତାଙ୍କୁ ବସ୍‌ରୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି।

ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *