ବିଜେପି ବିରୋଧରେ ଏକାଠି ହେବାକୁ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଲେ ମମତା

ଦିଲ୍ଲୀ:-ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୋନିଆ ଗାନ୍ଧୀଙ୍କ ସହ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି । ମମତା ନିଜ ଗଡ ରକ୍ଷା କରିବା ପାଇଁ ସବୁ ଦମ ଲଗାଇ ଦେଇଥିବାବେଳେ ବିଜେପି ମମତାଙ୍କ ଗଡ ଭାଙ୍ଗିବାକୁ ଦିନରାତି ଏକ କରିଦେଇଛି । ଏଭଳି ସମୟରେ ମମତା ବାନାର୍ଜୀ, କଂଗ୍ରେସ ସମେତ ଦେଶର ଅନ୍ୟ ବିରୋଧୀ ଦଳ ମୁଖ୍ୟଙ୍କୁ ବିଜେପି ବିରୋଧରେ ଏକଜୁଟ୍ ହେବାକୁ ଚିଠି ଲେଖିବା ବେଶ ଗୁରୁତ୍ୱପୂର୍ଣ୍ଣ  ।

ପଶ୍ଚିମବଙ୍ଗ ନିର୍ବାଚନ ସେହି ରାଜ୍ୟ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ତାହାଠାରୁ ଅଧିକ ହେଉଛି ସାରା ଦେଶରେ ଏହାର ରାଜନୈତିକ ପ୍ରଭାବ । ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଏହି ନିର୍ବାଚନକୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ମମତା ନିଜ ଗଡ଼ରକ୍ଷା ପାଇଁ ପୂରା ଦମ୍ ଲଗାଇଦେଇଛନ୍ତି ।  ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ  ମମତା ବାନାର୍ଜୀ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି । ସୋନିଆ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଉଦ୍ଧବ ଠାକରେଙ୍କ ପର୍ଯ୍ୟନ୍ତ, ମମତା ଆହ୍ୱାନ ଦେଇଛନ୍ତି ସବୁ ବିରୋଧୀ ଏକ ହେବା ଦରକାର ।

ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଏଥିରେ ଲେଖାଯାଇଛି ଗଣତନ୍ତ୍ର ଓ ସମ୍ବିଧାନ ଉପରେ ବିଜେପିର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସବୁ ବିରୋଧୀଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି ।ମମତା ଏଥିରେ ଲେଖିଛନ୍ତିି ଏହି ଯୁଦ୍ଧରେ ସେ ସମସ୍ତଙ୍କ ସହ ମିଳିମିଶି କାମ କରିବେ ଏବଂ ଏକତା ଦ୍ୱାରା ହିଁ ବିଜେପି ପରି ଶକ୍ତିକୁ ମୁକାବିଲା କରିହେବ ।

ସୋନିଆ ଗାନ୍ଧୀ, ଶରତ ପାୱାର, ନବୀନ ପଟ୍ଟନାୟକ, ଏମକେ ଷ୍ଟାଲିନ୍, ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଚିଠି ଲେଖିଛନ୍ତି ମମତା । ମୁଖ୍ୟତଃ ୭ଟି ପ୍ରସଙ୍ଗ ଉପରେ ସେ ବିଜେପିକୁ ଟାଗେର୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *