୨ରେ ଉପରାଷ୍ଟ୍ରପତିଙ୍କ ୨ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର:-ଆସନ୍ତା ଏପ୍ରିଲ ୨ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତେବେ ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ଓ ସଭାସ୍ଥଳରେ କେହି ଯେପରି କୌଣସି ପ୍ରକାରର ଫୁଲତୋଡ଼ା ବା ଅନ୍ୟାନ୍ୟ ଉପହାର ଆଦି ସିଧାସଳଖ ନଦେବେ ସେଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଉପରାଷ୍ଟ୍ରପତି ଯୋଗ ଦେବାକୁ ଥିବା ଦୁଇଟି ଯାକ ସଭାରେ ସାମିଲ ହେଉଥିବା ସମସ୍ତ ଶ୍ରୋତାଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ।ଉପରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ପାଇଁ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଜଣାପଡ଼ିଛି ଯେ, ଏପ୍ରିଲ ୨ତାରିଖ ପୂର୍ବାହ୍ନରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ରାଜଭବନ ଯାଇ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ କରିବେ। ସେହିଦିନ ଅପରାହ୍ନରେ ଉପରାଷ୍ଟ୍ରପତି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ଶାରଳା ଭବନଠାରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ଓ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହର ଉଦଯାପନୀ ଉତ୍ସବରେ ଯୋଗଦେବେ। ଏହାପରେ ଏପ୍ରିଲ ୩ତାରିଖ ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେହି ଦିନ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ବୋଲି କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *