କନେଷ୍ଟବଳ ପତି-ପତ୍ନୀଙ୍କ ହାଇଡ୍ରାମା,ରାସ୍ତାରେ ବାଡାବାଡି

ଭୁବନେଶ୍ବର :-‘ବଡ଼ ଘର ବଡ଼ ଗୋମର କଥା’ ଭଳି ପୋଲିସ ବାବୁର ସମସ୍ୟାର ସମାଧାନ କରିବ କିଏ ? ସମସ୍ତଙ୍କ ଘର ସଜାଡ଼ିବାକୁ ତତ୍ପର ଥିବା ପୋଲିସ ବାବୁର ଘର ସଜାଡ଼ିବ କିଏ ? ଏବେ ଜଣେ ପୋଲିସ ଦମ୍ପତିଙ୍କ ମାମଲା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ଦେଖିବାକୁ ମିଳିଛି। ବାବୁ ଆଉ ବାବୁଆଣୀଙ୍କ ଘରୋଇ କନ୍ଦଳ ଏବେ ଥାନାରେ ପହଞ୍ଚିଛି। ୧୧ ବର୍ଷ ଧରି ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଛି । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ତୁତୁ ମେଁମେଁ, ବାଡ଼ାବାଡ଼ି ଆଜି ସାରା ଦୁନିଆ ଦେଖିଛି।

ସ୍ବାମୀ କହୁଛି ସ୍ତ୍ରୀର ଦୋଷ ଆଉ ସ୍ତ୍ରୀ ବି ଆଣିଛନ୍ତି ସମାନ ଅଭିଯୋଗ। ହେଲେ ଦୋଷୀ କିଏ ? ଦୋଷୀ ଖୋଜିବା ଦାୟିତ୍ବ ପୋଲିସର। କିନ୍ତୁ ଏଠାରେ କଥା ଉଠୁଛି ସ୍ବାମୀ ଏବଂ ସ୍ତ୍ରୀ ଉଭୟେ ପୋଲିସରେ ଅଛନ୍ତି। ଜଣେ କେନ୍ଦ୍ରପଡ଼ାରେ କନେଷ୍ଟବଲ ଅଛନ୍ତି ତ ଆଉ ଜଣେ କମିଶନରେଟ୍‌ ପୋଲିସରେ କନେଷ୍ଟବଳ ଅଛନ୍ତି। ଏବେ ଆପଣ ଭାବୁଥିବେ ପ୍ରକୃତରେ ମାମଲାଟି କଣ ?  ମାମଲାଟି ହେଉଛି ପୋଲିସ ଦମ୍ପତିଙ୍କ ମାମଲା ଥାନରେ ପହଞ୍ଚିଛି। ସ୍ବାମୀ ଅମର କୁମାର ସାହୁ ଏବଂ ସ୍ତ୍ରୀ ଭଗବତୀ ସାହୁ ପୋଲିସ ବିଭାଗରେ ଚାକିରୀ କରିଥିବା ବେଳେ ପ୍ରେମ କରି ବିବାହ କରିଥିଲେ ।

ବିବାହର କିଛି ବର୍ଷ ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିବା କୁହାଯାଉଛି। ଛାଡ଼ନ୍ତୁ ତା ଭିତରକୁ ଯିବାନି। ଏତିକି ଜଣାପଡ଼ିଛି ଯେ, ସେମାନଙ୍କ ଛାଡ଼ପତ୍ର ମାମଲା ଫ୍ୟାମିଲ କୋର୍ଟରେ ୧୧ ବର୍ଷ ହେଲା ଚାଲିଛି। ସେମାନଙ୍କର ଜଣେ ୯ ବର୍ଷର ଝିଅ ମଧ୍ୟ ଅଛି। କଥାଟି ହେଉଛି ସ୍ତ୍ରୀ ଭଗବତୀ ନିଜ ଝିଅକୁ ଦେଖିବାକୁ ସ୍ବାମୀଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ଅମର  ଅନ୍ୟ ଜଣେ ଯୁବତୀଙ୍କ ସହ ଅସଂଯତ ଅବସ୍ଥାରେ ଥିବା ଭଗବତୀ ଅଭିଯୋଗ କରିଛନ୍ତି। ଏହାକୁ ଦେଖିଲେ କେଉଁ ସ୍ତ୍ରୀ ସହିବ ଯେ ?  ଭଗବତୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା । ଏହା ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଭଗବତୀ ଅମରଙ୍କୁ ହତକୁ ଆଘାତ କରିଥିବା କୁହାଯାଉଛି। ଏହା ସହ ସ୍ବାମୀଙ୍କ କାରକୁ ଭାଙ୍ଗି ଗୁଣ୍ଡ କରିପକାଇଛନ୍ତି ସ୍ତ୍ରୀ ଭଗବତୀ।

ସ୍ବାମୀ ବି ଛାଡ଼ିନାହାନ୍ତି। ଅମର ମଧ୍ୟ ଭଗବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଦୁହେଁ ଦୁହିଁଙ୍କ ବିରୋଧରେ ଭୁବନେଶ୍ବରର ଏୟାରଫିଲ୍ଡ ଥାନା​‌ରେ ଅଭିଯୋଗ କରିଛନ୍ତି। ଏବେ ପୋଲିସ ଦମ୍ପତିଙ୍କ ମାମଲାରେ ତଦନ୍ତ କରିବ ପୋଲିସ।

Leave a Reply

Your email address will not be published. Required fields are marked *