କାଠ ଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁକୁ ଧରି ୮ଶହ କି.ମି ଚାଲିଲେ ଶ୍ରମିକ
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରୁଥିବାର ଦେଖୁବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକଙ୍କର ଏଭଳି କଷ୍ଟ ଓ ଯନ୍ତ୍ରଣା ପ୍ରକୃତରେ ଦୃଦୟ ବିଦାରକ। ଏଠି ଆଉଜଣେ ଶ୍ରମିକଙ୍କ ଘରବାହୁଡା ଦୁଃଖ ଓ ଯନ୍ତ୍ରଣା କଥା କହିବୁ ଯିଏ ହାତ ତିଆରି ଏକ କାଠଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁ ସନ୍ତାନକୁ ବସାଇ ୮୦୦ କିମି ବାଟ ଚାଲି ଚାଲି ଆସିଛନ୍ତି।
ହାଇଦ୍ରାବାଦରେ କାମ କରୁଥିବା ଏଇ ଶ୍ରମିକ ୮୦୦ କିଲୋମିଟର ଦୂର ତାଙ୍କ ଘର ବାଲାଘାଟରେ ପହଞ୍ଚିବା ପାଇଁ ସେ ନିଜ ହାତରେ ତିଆରି କାଠ ଗାଡିରେ ୮ମାସର ଗର୍ଭବତୀ ପତ୍ନୀ ଓ ଦୁଇବର୍ଷର ଝିଅକୁ ବସାଇ ଟାଣିଟାଣି ଆସୁଛନ୍ତି। ଏହିର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏହି ଶ୍ରମିକ ଜଣକ କିଛି ବାଟ ପର୍ଯ୍ୟନ୍ତ ନିଜ ଝିଅକୁ କୋଳରେ କାଖେଇ ଆଣୁଥିଲେ କିନ୍ତୁ ଦୂରବାଟ ହେତୁ ସେ ଆଉ ଚାଲି ପାରିନଥିଲେ। ସେତେବେଳେ ତାଙ୍କ ମନକୁ ଏକ ଉପାୟ ଆସିଲା। ରାସ୍ତାରେ ପଡିଥିବା କାଠ ଓ ବାଉଁଶ ଖଣ୍ଡକୁ ଏକାଠି କରି ଏକ ଗାଡି ତିଆରି କରିଥିଲେ। ସେହି ଗାଡିରେ ତାଙ୍କ ପତ୍ନୀ ଓ ୨ବର୍ଷର ଝିଅକୁ ବସାଇ ହାତରେ ଟାଣିଟାଣି ୮୦୦କିଲୋମିଟର ଅତିକ୍ରମ କରିଥିଲେ।
ଶ୍ରମିକଙ୍କ ନାଁ ରାମୁ ବୋଲି ଜଣାପଡିଛି। ରାମୁ ତିଆରି କରିଥିବା କାଠ ଗାଡିରେ ନିଜ ପତ୍ନୀ ଓ ଦୁଇବର୍ଷର ଝିଅକୁ ବସାଇ ରାସ୍ତାରେ ଟାଣିଟାଣି ନେଇ ୧୭ଦିନ ଚାଲିବା ପରେ ବାଲାଘାଟରେ ପହଞ୍ଚିଥିଲେ। ଏହି ଦମ୍ପତିଙ୍କୁ ରାଜେଗାଓଁ ଜିଲ୍ଲାର ସୀମାରେ ଡ୍ୟୁଟି କରୁଥିବା ଯବାନମାନେ ଦେଖିଥିଲେ। ଯବାନଙ୍କ କହିବା ଅନୁଯାୟୀ, ରାମୁଙ୍କ ୨ବର୍ଷର ଝିଅର ପାଦରେ ଚପଲ ମଧ୍ୟ ନଥିଲା। ଯବାନମାନେ ପିଲାଟିକୁ ବିସ୍କୁଟ ଖାଇବାକୁ ଦେଇଥିଲେ। ପିନ୍ଧିବା ପାଇଁ ଚପଲ ମଧ୍ୟ ଦେଇଥିଲେ। ପରେ ସେଠାରୁ ତାଙ୍କୁ ଘରେ ପହଞ୍ଚିବା ପାଇଁ ଗାଡିର ମଧ୍ୟ ବ୍ୟବସ୍ଥା କରିଥିଲେ।










