ପାଠକ ବାପ-ପୁଅଙ୍କୁ ଆଶ୍ବସ୍ତି, ଟ୍ରାଭେଲ୍ସ୍ ବିଲ୍ ଠକେଇ ମାମଲାରେ ମିଳିଲା ଜାମିନ୍‌

ଭୁବନେଶ୍ବର :-ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍ଏସ୍‌ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ଉଭୟ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ଜାମିନ ମିଳିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଟ୍ରାଭେଲ୍ସ ବିଲ୍‌ ଠକେଇ ମାମଲାରେ ଆଇଏଫ୍‌ଏସ୍‌ ଅଭୟ ପାଠକ ଏବଂ ଆକାଶ ପାଠକଙ୍କ ବିରୁଦ୍ଧରେ ଖାରମେଳ ନଗରରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍‌ ତଥା ପୂର୍ବତନ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଥିଲା । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । କିନ୍ତୁ ଅନ୍ୟାନ୍ୟ ମାମଲାରେ ଉଭୟ ପାଠକ ବାପ-ପୁଅ ଜେଲରେ ଥିଲେ । ଦୁର୍ନୀତିର ଲମ୍ବା ଫର୍ଦ ଥିବା ପାଠକ-ବାପ ପୁଅଙ୍କୁ ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗତ ନଭେମ୍ବର ୨୭ରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଉଭୟ ବାପ-ପୁଅଙ୍କୁ ମୁହାଁମୁହିଁ ବସାଇ ଭିଜିଲାନ୍ସ ଜେରା କରିଥିଲା। ଏହା ପୂର୍ବରୁ ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ବାପ-ପୁଅଙ୍କ ଗିରଫ ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *