ହାତୀ ମୃତ୍ୟୁ ନେଇ ଉଦବେଦ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,
ଭୁବନେଶ୍ୱର :- କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତ୍ୟୁ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷେତ୍ରରେ ରାଜ୍ୟ ତଥା ଦେଶର ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟ ଗୁଡିକୁ ତୁରନ୍ତ ବିଶୋଧନ କରିବା ଏବଂ ଜଳର ନମୂନା ତୁରନ୍ତ ପରୀକ୍ଷା କରିବା ସହିତ ନିୟମିତ ପରୀକ୍ଷା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରୁ ଜଣାଯାଇଥିଲା ଯେ କଳାହାଣ୍ଡିର କାରଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି।
ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ ଏହି ହାତୀଗୁଡିକ Pasteurella Multocida ନାମକ ଏକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇ Hemorrhagic Septicemia ରୋଗରୁ ମୃତ୍ୟୁବରଣ କରିଛନ୍ତି । ଏହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆଉ ଦୁଇଟି ହାତୀ ଦଳ ରହିଛନ୍ତି । ସେହି ଦଳଗୁଡିକୁ ଟ୍ରାକ୍ କରାଯାଇ ସେମାନେ ଯେପରି ସଂକ୍ରମିତ ଦଳର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏହାସହିତ ଏହି ଅଞ୍ଚଳରେ ଥିବା ୪୩ଟି ଜଳାଶୟରୁ ୨୫ଟି ଜଳାଶୟର ବିଶୋଧନ କରାଯାଇଛି ଏବଂ ବାକି ଗୁଡିକର ବିଶୋଧନ କରାଯାଉଛି ।