ଜୋର ଧରୁଛି ବାଇ-ଲ ପ୍ରତ୍ୟାହାର ପ୍ରତିବାଦ, ମଙ୍ଗଳବାର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼
ଭୁବନେଶ୍ବର: -ଏକାମ୍ରକ୍ଷେତ୍ର ପାଇଁ ଏନ୍ଏମ୍ଏ ଚିଠା ବାଇ-ଲ ପ୍ରତ୍ୟାହାର ନେଇ ଜୋରଦାର ହେବାକୁ ଯାଉଛି ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଆସନ୍ତାକାଲି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ ହୋଇ ପ୍ରତିବାଦ କରାଯିବ । ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ସେବାୟତ କମିଟି ।
ଏହି ଚିଠା ବାଇ-ଲ’ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବ । ତେଣୁ ଜାତୀୟ ସ୍ମାରକୀ ପ୍ରାଧିକରଣର ଏହି ନିଷ୍ପତିକୁ ବିରୋଧ କରୁଛୁ । ଯାହାକୁ ନେଇ ଆସନ୍ତାକାଲି ଘଣ୍ଟ ଘଣ୍ଟାମାଡ ଜରିଆରେ ବିରୋଧ କରାଯିବା ନେଇ ନିଷ୍ପତି ନେଇଛି ନିଖିଳ ଓଡ଼ିଶା ସେବାୟତ କମିଟି । ଏହି ଉପନିୟମ ଦ୍ବାରା ଭୁବନେଶ୍ବରର ୨ମନ୍ଦିର ପ୍ରଭାବିତ ହେବ । ସେହିପରି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ମଧ୍ୟ ବାଇ-ଲ’ ଦ୍ବାରା ପ୍ରଭାବିତ ହେବ । ସେପଟେ ଚିଠା ବାଇ-ଲ’ କୁ ପ୍ରତ୍ୟାହାର ନେଇ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ ।
ସେପଟେ ସେବାୟତ ମଧ୍ୟ ଚିଠା ବାଇ-ଲ’କୁ ଦୃଢ଼ ବିରୋଧ କରିଛନ୍ତି । ତୁରନ୍ତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି । ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଗତକାଲି ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ କରିଛି।