ପ୍ରଥମ ଥର ମହାକାଶକୁ ଯିବ ଭଗବତ ଗୀତା,
ନୂଆଦିଲ୍ଲୀ :-ଫେବୃଆରୀ ୨୮ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏମିତି ଏକ ସାଟେଲାଇଟ୍ ଉତ୍କ୍ଷେପଣ କରିବାକୁ ଯାଉଛି, ଯାହା ନିଜ ସହିତ ଭଗବତ୍ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ୨୫ ହଜାର ଲୋକଙ୍କ ହସ୍ତାକ୍ଷର ନେଇ ମହାକାଶ ଯାତ୍ରା କରିବ। ଦେଶର ସ୍ପେସ ମିଶନର ଇତିହାସରେ ପ୍ରଥମ ଥର ଏମିତି ହେବାକୁ ଯାଉଛି।
ଏହି ମିଶନର ବିଶେଷତ୍ଵ ଏହା ଯେ ଏହାକୁ ଭାରତୀୟ ଷ୍ଟାର୍ଟଅପ୍ ସ୍ପେସ୍କିଡ୍ସ ଆତ୍ମନିର୍ଭର ଭାରତ ଅଭିଯାନ ଆଧାରରେ ପ୍ରସ୍ତୁତ କରାଯାଇଛି। ଏହି ନାନୋ ସାଟେଲାଇଟ୍କୁ ପୋଲାର ସାଟେଲାଇଟ୍ ଲଞ୍ଚ ହ୍ଵିକିଲ୍(ପିଏସଏଲଭି) ଦ୍ଵାରା ପ୍ରକ୍ଷେପଣ କରାଯିବ। ଏହି ଛୋଟ ସାଟେଲାଇଟ୍କୁ ଭାରତୀୟ ଛାତ୍ରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି।
ଚଳିତ ମାସର ଶେଷ ଆଡକୁ ଇସ୍ରୋ ଏହି ନଅଟି ସାଟେଲାଇଟ୍ ସହିତ ଦୁଇଟି ଅନ୍ୟ ଭାରତୀୟ ସାଟେଲାଇଟ୍ ଓ ବ୍ରାଜିଲର ମଧ୍ୟ ଗୋଟିଏ ସାଟେଲାଇଟ୍ Amazonia-1କୁ ଲଞ୍ଚ କରିବ। ଏହି ତିନି ଉପଗ୍ରହର ନାମ ସତୀଶ ଧାଓ୍ଵନ, ଆନନ୍ଦ ଓ ୟୁନିଟିସ୍ୟାଟ୍ ରହିଛି। ଏଥିରେ ସତୀଶ ଧାଓ୍ଵନ ସାଟେଲାଇଟ୍ ଭଗବତ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ୨୫ ହଜାର ଛାତ୍ରଙ୍କ ନାମ ନେଇ ମହାକାଶ ଯାତ୍ରା କରିବ। ଏହାକୁ ସ୍ପେସ୍କିଡ୍ସ ଇଣ୍ଡିଆ ପକ୍ଷରୁ ବିକଶିତ କରାଯିବ। ଚାରି ଉପଗ୍ରହକୁ ଚେନ୍ନାଇରୁ ୧୦୦ କିଲୋମିଟର ଦୂର ଶ୍ରୀହରିକୋଟାରୁ ପିଏସଏଲଭି ସି-୫୧ ଜରିଆରେ ପୂର୍ବାହ୍ନ ୧୦ଟା ୨୪ ମିନିଟ୍ରେ ଉତକ୍ଷେପଣ କରାଯିବ।
ସ୍ପେସ୍କିଡ୍ସ ଇଣ୍ଡିଆର ସଂସ୍ଥାପକ ତଥା ସିଇଓ ଡ.ଶ୍ରୀମଥି କେସନ କହିଛନ୍ତି ଆମେ ସାଟେଲାଇଟ୍ର ଶୀର୍ଷରେ ପ୍ରଧାନମନ୍ତ୍ରୀଙ୍କ ନାମ ଓ ତାଙ୍କ ଫଟୋ ସଂଯୋଗ କରିଛୁ। ଏହା ବ୍ୟତୀତ ଇସ୍ରୋ ପ୍ରମୁଖ ଡ. କେ ଶିବନ ଓ ବୈଜ୍ଞାନିକ ସଚିବ ଡାକ୍ଟର ଆର ଉମା ମହେଶ୍ଵରନଙ୍କ ନାମ ତଳ ପ୍ୟାନେଲରେ ଲେଖା ହୋଇଛି। ସେ କହିଛନ୍ତି, ଏହା ପୂର୍ବରୁ ମଧ୍ୟ ଲୋକେ ବାଇବେଲ୍ ପରି ପବିତ୍ର ପୁସ୍ତକ ଅନ୍ତରୀକ୍ଷକୁ ପଠାଇ ସାରିଛନ୍ତି।