କେତେ ସମ୍ପତ୍ତିର ମାଲିକ ନବୀନ? ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ସାର୍ବଜନୀନ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା । ୨୦୨୦ ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ପତ୍ତି ଥିଲା, ତା’ର ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡର ସବୁ ସଦସ୍ୟ ସେମାନଙ୍କ ସମ୍ପତ୍ତି ଦେଇଛନ୍ତି । ସମ୍ପତ୍ତି ତାଲିକା ପ୍ରକାଶ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଘୋଷଣା ମୁତାବକ ସବୁ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ୧୯୮୦ ମଡେଲର ଏକ ଆମ୍ବାସଡର କାର୍‌ ଅଛି । ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ଟଙ୍କା ହେବ । ୨ ଲକ୍ଷ ୮୯ହଜାର ଟଙ୍କାର ସୁନା ଗହଣା ଥିବା ସମ୍ପତ୍ତି ତାଲିକାରେ ପ୍ରକାଶ ପାଇଛି । ଜନପଥ ଓ ଦିଲ୍ଲୀ ବ୍ୟାଙ୍କ ଅଫ ଇଣ୍ଡିଆରେ ନବୀନଙ୍କ ରହିଛି ୨ଟି ଆକାଉଣ୍ଟ । ବ୍ୟାଙ୍କ ଅଫ ଇଣ୍ଡିଆର ସେଭିଙ୍ଗ୍ସ ଆକାଉଣ୍ଟରେ ଅଛି ୧୬ ଲକ୍ଷ ୭୬ ହଜାର ଟଙ୍କା । ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି ୧ କୋଟି ୩ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଛି ୪ଟି ଷ୍ଟେଟବ୍ୟାଙ୍କ ଆକାଉଣ୍ଟ । ଭୁବନେଶ୍ୱର ସେଭିଙ୍ଗ୍ସ ଆକାଉଣ୍ଟରେ ୧୦ ଲକ୍ଷ ୫୬ ହଜାର ଟଙ୍କା ଥିବା ତାଲିକାରେ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ୨ଟି ଆକାଉଣ୍ଟ ରହିଛି ମୁଖ୍ୟମନ୍ତ୍ରୀଙ୍କର । ଦୁଇ ଆକାଉଣ୍ଟ ନିର୍ବାଚନ ପାଇଁ ଖୋଲାଯାଇଥିଲା । ୨୦୧୪ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୬ ହଜାର ୭୪୬ ଟଙ୍କା ଥିବା ତାଲିକାରେ ଉଲ୍ଲେଖ ହୋଇଛି । ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି । ବରଗଡ଼ ପଦ୍ମପୁର ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଅଛି ୩୭ ହଜାର ୨୨୩ ଟଙ୍କା । ୨୦୧୯ ନିର୍ବାଚନ ବେଳେ ଖୋଲାଯାଇଥିଲା ଏହି ଏହି ଆକାଉଣ୍ଟ । ସ୍ଥାବର ସମ୍ପତ୍ତି ତାଲିକାରେ ଅଛି ଜମି ଓ ବାସଗୃହ । ଫରିଦାବାଦରେ ଅଛି ୨୨ ଦଶମିକ ୭ ଏକର ଜମି ଓ କୋଠା । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ଲକ୍ଷ ଟଙ୍କା ହେବ । ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯ କୋଟି ୫୨ଲକ୍ଷ ଟଙ୍କା । ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ରହିଛି ସମ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୪୩ କୋଟି ୩୬ଲକ୍ଷ ଟଙ୍କା ।

Leave a Reply

Your email address will not be published. Required fields are marked *