ପ୍ରେମ-ପ୍ରତାରଣା ଓ ଠକେଇ ମାମଲା,କ୍ୟାପିଟାଲ ଥାନାର ନିଲମ୍ବିତ ସବ-ଇନ୍ସ୍ପେକ୍ଟର ରାକେଶ ସାମଲ ଗିରଫ
ଭୁବନେଶ୍ୱର:-ପ୍ରେମ-ପ୍ରତାରଣା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ସବ-ଇନ୍ସ୍ପେକ୍ଟର ରାକେଶ ସାମଲ ଧରା ପଡିଛନ୍ତି । ରାଉରକେଲା ପୁଲିସ ସହାୟତାରେ କମିଶନରେଟ ପୁଲିସ ରାକେଶଙ୍କୁ ଠାବ କରିଛି । ରାଉରକେଲା ରଘୁନାଥପଲ୍ଲୀ ଥାନା ପୁଲିସ ରାକେଶଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଆଣିବାକୁ ରାଉରକେଲା ଯାଇଛନ୍ତି । ଜେରା ପରେ ରାକେଶଙ୍କ ଠାରୁ ଗାଡ଼ି ଚୋରି ନେଇ ତଥ୍ୟ ସଂଗ୍ରହ କରିବ ବୋଲି ପୁଲିସ ଆଶା ରଖିଛି ।
ଅପରପକ୍ଷେ ହାଇକୋର୍ଟ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ରାକେଶଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ତା’ଛଡ଼ା ରାକେଶଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି, କେଉଁ ଦଫାରେ ମାମଲା ରୁଜୁ ହୋଇଛି ସେ ବିଷୟରେ ଆସନ୍ତା ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ମହିଳା ଥାନାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମଙ୍ଗଳବାର ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବତୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନିରେ ଚାକିରି କରିଛନ୍ତି । ୨୦୧୯ ଅଗଷ୍ଟରେ କାର୍ କିଣା ବିକା ନେଇ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କର ପୁଲିସ ଏସଆଇ ରାକେଶଙ୍କ ସହ ପରିଚୟ ହୋଇଥିଲା । ପରେ ଯୁବତୀ ଜଣକ ସହ ରାକେଶ ନିୟମିତ କଥାବାର୍ତ୍ତା ହେଉଥିଲେ । ନିଜେ ଜଣେ ପୁଲିସ ବୋଲି ପରିଚୟ ଦେଇଥିଲେ । ଯୁବତୀ ଜଣକ ଏକ ଗାଡି କିଣିବାକୁ ଚାହୁଁଥିଲେ । ରାକେଶ ତାଙ୍କୁ କମ୍ ଦାମରେ ଗାଡ଼ି ଯୋଗାଇ ଦେବାକୁ କହିଥିଲେ ।
ଏଥିପାଇଁ ତାଙ୍କ ଠାରୁ ୫ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ପ୍ରେମ ଗଢି ଉଠିଥିଲା । ରାକେଶ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ୨୦୨୦ ଜାନୁଆରୀରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ପରେ ସେ ବିବାହ କରିବାକୁ ଜିଦ ଧରିଥିଲେ । ହେଲେ ରାକେଶ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗର୍ଭନଷ୍ଟ କରିବାକୁ କହିଥିଲେ । ଯୁବତୀ ଜଣକ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଯୁବତୀ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରି ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରି ରାକେଶଙ୍କୁ ନିଲମ୍ବନ କରିଥିଲେ ।










