ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ସମର୍ଥନ ଘୋଷଣା କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର:-କେନ୍ଦ୍ରର ମୋଦୀ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଦ୍ୱାରା ପ୍ରଣିତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଅଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ। କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

କୃଷକମାନଙ୍କର ବୃହତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ସ୍ତରରୁ ଆରମ୍ଭ କରି ଗ୍ରାମ, ପଂଚାୟତ, ବ୍ଲକ, ପୌରପରିଷଦ, ମହାନଗର ନିଗମ, ବିଜ୍ଞପିତ ଅଂଚଳ ପରିଷଦ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ କଂଗ୍ରେସର ସମସ୍ତ କର୍ମକର୍ତା, ବିଧାୟକଗଣ, ସାଂସଦ, ପ୍ରାକ୍ତନ ସାଂସଦ, ମନ୍ତ୍ରୀ ଓ ବିଧାୟକ, ବରିଷ୍ଠ ନେତୃମଣ୍ଡଳୀ, ଜିଲ୍ଲା କଂଗ୍ରେସ ସଭାପତି, ଏଆଇସିସି ଓ ପିସିସି ସଭ୍ୟ, ସମସ୍ତ ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନର ରାଜ୍ୟ ଓ ଜିଲ୍ଲାର ମୁଖ୍ୟ ଓ କର୍ମକର୍ତାମାନେ ଓ ତ୍ରିସ୍ତରୀୟ ଜନପ୍ରତିନିଧିମାନଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ମାର୍ଗଦର୍ଶନ ଦେଇଥିବା ବେଳେ ସ୍ୱତଃପ୍ରବୃତ ବନ୍ଦରେ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ସଫଳ କରିବା ଲାଗି ଓଡିଶାବାସୀଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ବିନମ୍ର ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *