ପଶ୍ଚିମବଙ୍ଗରେ ହିଂସା : ବୋମା ବିସ୍ଫୋରଣରେ ବିଜେପି କାର୍ଯ୍ୟକର୍ତ୍ତା ଆହତ,

ପଶ୍ଚିମବଙ୍ଗ:-ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ଥରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟିର ୭ଜଣ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜନ ସମ୍ପର୍କ ଅଭିଯାନ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଆହତ ହୋଇଥିବା ବିଜେପି କର୍ମୀମାନେ ସିଧାସଳଖ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ଆସନସୋଲରେ ହେଉଥିବା ରାଲି ବେଳେ ବୋମା ମଧ୍ୟ ଫିଙ୍ଗାଯାଇଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ।

ବିଜେପିର ସ୍ଥାନୀୟ ନେତା ଲେଖନ ଘୋରୁଏ ଅଭିଯୋଗ କରିଛନ୍ତି ଯେ, ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଗୁଳି ଚଳାଇବା ସହିତ ବମ ମଧ୍ୟ ପକାଇଛନ୍ତି । ଯେଉଁଥିରେ ୭ ଜଣ ଆହତ ହୋଇଛନ୍ତି । ତେବେ ପୋଲିସକୁ ଏବାବଦରେ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଟିଏମସି ମଧ୍ୟ ବିଜେପି ଉପରେ ସମାନ ଆରୋପ ଲଗାଇଛି । ତୃଣମୂଳ କଂଗ୍ରେସ ନେତା ବିଧାନ ଉପାଧ୍ୟାୟ କହିଛନ୍ତି, ବିଜେପିର ରାଲି ଥିଲା, ଯେଉଁଥିରେ ସେମାନେ ବୋମା ନେଇକି ଆସିଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ନେତା ବିଧାନ ଉପାଧ୍ୟାୟ ।

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୀମାବର୍ତ୍ତୀ ସହରର ଦକ୍ଷିଣ-ପଶ୍ଚିମ ପାର୍ଶ୍ୱରେ ଏକ “ଚା ଚକ୍ର” (ଚା ଉପରେ ଆଲୋଚନା) କୁ ସମ୍ବୋଧିତ କରିବାବେଳେ ଦିଲ୍ଲୀପ ଘୋଷ ଟିଏମସିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ସେ ‘ଜୟ ବଙ୍ଗଳା’ ଭଳି ସ୍ଲୋଗାନ ଦେବାକୁ ଆହ୍ବାନ ଦେଇଛନ୍ତି । ଜୟ ଶ୍ରୀ ରାମ ନାରା ଦେବାରେ ଟିଏମସି ନେତାଙ୍କର ଅସୁବିଧା କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବା ପାଇଁ ଟିଏମସି ଦ୍ୱାରା ଏହା ଏକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *