ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର,ମୁଣ୍ଡରେ ହାତ ଦେଇ ବସିଲେଣି ଗ୍ରାହକ

ଭୁବନେଶ୍ୱର:-ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଆଳୁ ୨ ମାସରେ ଡବଲ୍ ହେଲାଣି । ତେଲ ଦେଢ଼ଗୁଣା ମହଙ୍ଗା ହୋଇଛି।  ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି । ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ସଂଘ।

୨ ମାସ ତଳେ ଆଳୁ କେଜି ୧୫ରୁ ୨୦, ପିଆଜ ୨୫ରୁ ୩୦ ଥିଲା। ଆଉ ଏବେ ଆଳୁ ୪୫ରୁ ୫୦ ଏବଂ ପିଆଜ ୫୫ରୁ ୬୦ ଟଙ୍କା ଛୁଇଁଛି।  ଅର୍ଥାତ ୨ ମାସରେ ୨ ଗୁଣରୁ ବି ଅଧିକ ବଢିଛି ଦର। ସେହିଭଳି ଖାଇବା ତେଲ ଦର ୨ ମାସରେ ପାଖାପାଖି ୫୦ ପ୍ରତିଶତ ବଢ଼ିଛି । ସେହିପରି ଧର୍ମମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନଥିବାରୁ ପରିବା ଦର ବି ଖସୁନାହିଁ।  ଅବଶ୍ୟ ୪-୫ ଦିନ ହେବ ପରିବା ରେଟ୍ ଟିକେ କମିଥିଲେ ବି ପ୍ରାୟ ପରିବାର ଦର ୪୦ରୁ ୬୦ ମଧ୍ୟରେ ରହିଛି । ଯାହାକୁ ନେଇ ଏବେ ଖାଉଟି ଚିନ୍ତାରେ ଅଛନ୍ତି।  ରାଜ୍ୟରେ ବର୍ଷକୁ ୧୪ ଲକ୍ଷ ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ଉତ୍ପାଦନ ହେଉଛି କେବଳ ୭୦ରୁ ୮୦ ହଜାର ଟନ୍ । ବଳକା ପ୍ରାୟ ୧୩ ଲକ୍ଷ ଟନ୍ ଆଳୁ ପାଇଁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ଉପରେ ର୍ନିଭର କରିବାକୁ ପଡୁଛି ।

ସେହିପରି ଦେଶରେ ୨ କୋଟି ଟନ୍ ଖାଇବା ତେଲ ଦରକାର ହେଉଥିବା ବେଳେ ଉତ୍ପାଦନ ହେଉଛି କେବଳ ୬୦ ଲକ୍ଷ ଟନ୍ । ବାକି କୋଟିଏ ୪୦ ଲକ୍ଷ ଟନ୍ ବିଦେଶରୁ ଆସୁଛି । ତାଛଡା ସରକାର ପାମୋଲିନ ତେଲ ଉପରେ ୪୩ ପ୍ରତିଶତ ଏବଂ ସନଫ୍ଲାଓ୍ୱାର ବା ରିଫାଇନ୍ ତେଲ ଉପରେ ୩୮ ପ୍ରତିଶତ ଇମ୍ପୋର୍ଟ ଟାକ୍ସ ନେଉଥିବା ବେଳେ ଜିଏସଟି ବି ରହିଛି। ଏହା ଦରବୃଦ୍ଧିର ମୁଖ କାରଣ ବୋଲି କୁହାଯାଉଛି ଯଦିଓ ଗତକାଲି ସରକାର ଇମ୍ପୋର୍ଟ ଟାକ୍ସ ୧୦ ପ୍ରତିଶତ କମାଇଛନ୍ତି, ହେଲେ ଏହାକୁ ୨୦ ପ୍ରତିଶତ କଲେ ଦର ସୁହାଇବ ବୋଲି କହିଛି ବ୍ୟବସାୟୀ ସଂଘ।

Leave a Reply

Your email address will not be published. Required fields are marked *