ଆନ୍ଦୋଳନ ଲାଗି ୨୦ ହଜାର ଚାଷୀଙ୍କ ବିରୋଧରେ FIR, କଂଗ୍ରେସ କହିଲା ନିନ୍ଦନୀୟ

ନୂଆଦିଲ୍ଲୀ :-ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ମିଳିତ ଚାଷୀ ସଂଘର୍ଷ ସମିତିର ‘ଦିଲ୍ଲୀ ଚଲୋ’ ଆହ୍ୱାନ ରାଜଧାନୀରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଆନ୍ଦୋଳନକୁ ଦିଲ୍ଲୀ ପହଞ୍ଚିବାରେ ରୋକିବା ଲାଗି ହରିୟାଣା ସରକାର ୨୦ ହଜାରରୁ ଅଧିକ ଚାଷୀଙ୍କ ବିରୋଧରେ ଏତଲ୍ଲା ରୁଜୁ କରିଛନ୍ତି। ହକ୍ ଲାଗି ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ପୋଲିସ ଏତଲାକୁ କଂଗ୍ରେସ  ତୀବ୍ର ନିନ୍ଦା କରିବା ସହ ମିଥ୍ୟା ମୋକଦ୍ଦମା ମାମଲାରେ ଚାଷୀଙ୍କୁ ଆଇନ ସହାୟତା ଯୋଗାଇ ଦେବ ବୋଲି କହିଛି। କଂଗ୍ରେସ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲା ଶନିବାର ଏହି ଘୋଷଣା କରିଛନ୍ତି।

ହରିୟାଣାରେ ପୋଲିସ ଦ୍ୱାରା ନିରିହ ଚାଷୀଙ୍କ ଉପରେ ୱାଟର କାନନ ଦ୍ୱାରା ଥଣ୍ଡାରେ ଥଣ୍ଡାପାଣି ମାଡ ବେଳେ ଏହାକୁ ବନ୍ଦ କରିଥିବା ୨୬ ବର୍ଷ ବୟସ୍କ ଚାଷୀ ନବଦୀପ ସିଂହ ବିରୋଧରେ ସରକାର ହତ୍ୟାଉଦ୍ୟମ ମୋକଦ୍ଦମା ରୁଜୁ ହୋଇଛି। ଏଥିରୁ ହରିୟାଣାର ଖଟ୍ଟର-ଚୌଟାଲା ସରକାର କ୍ଷମତା ମୋହରେ କେତେ ଅନ୍ଧ ହୋଇଯାଇଛନ୍ତି ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ସୂରଜେୱାଲା କହିଛନ୍ତି।

ହକ୍ ଲାଗି ଦିଲ୍ଲୀ ଆସୁଥିବା ଚାଷୀଙ୍କୁ ରାସ୍ତାରେ ରୋକିବା ଲାଗି ହରିୟାଣା ସରକାରଙ୍କ ନିର୍ଯାତନା ସମସ୍ତ ସୀମା ଅତିକ୍ରମ କରିଥିବା ସୂରଜେୱାଲା କହିଛନ୍ତି। ଚାଷୀଙ୍କ ଉପରକୁ ଥଣ୍ଡା ପାଣି ମାଡ, ରାସ୍ତାରେ କଣ୍ଟା ତାର ବିଛାଇବା, ମାଟି ପକାଇ ରାସ୍ତା ଅବରୋଧ କରିବା, ରାସ୍ତା ଉପରେ ବଡବଡ ପଥର ରଖି ମଧ୍ୟ ଚାଷୀଙ୍କୁ ରାଜ୍ୟ ସୀମାରେ ଅଟକାଇ ପାରିଲେନି ବୋଲି କହିଛନ୍ତି ସୂରଜେୱାଲା। ଏହା ପରେ ବି ରାଜ୍ୟରେ ଖଟ୍ଟର ଓ ଚୌଟାଲା ତିଷ୍ଠିଥିବା ନେଇ ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *