ଜେଲ୍ ଫେରନ୍ତାଙ୍କ ଆତଙ୍କରାଜ : ଯୁବତୀଙ୍କୁ ରୁମ୍ରେ ପଶି ଦୁଷ୍କର୍ମ ଉଦ୍ୟମ,
ଭୁବନେଶ୍ୱର,:-ସହିଦନଗର ଥାନା ଭିଏସ୍ଏସ୍ ନଗର ପୋଷ୍ଟାଲ କଲୋନି ତଳ ଛକରେ ମିଟୁ ନାମକ ଜେଲ୍ ଫେରନ୍ତା ଆତଙ୍କରାଜ ଭିଆଇଛି। ଜଣେ ଯୁବତୀଙ୍କ ରୁମ୍ରେ ପଶି ଦୁଷ୍କର୍ମ ଉଦ୍ୟମ କରିଛି । ଘର ମାଲିକ ପ୍ରତିବାଦ କରିବାକୁ ତାଙ୍କୁ ମଧ୍ୟ ମାଡ଼ ମାରିଛି। ମିଟୁର ଧମକରେ ଭୟଭୀତ ହୋଇ ଯୁବତୀ ଓ ଘର ମାଲିକ ଥାନାରେ ଅଭିଯୋଗ କରିନାହାନ୍ତି। ତେବେ ଖବରପାଇ ପିସିଆର୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରି ଫେରିଛି। ଏତଲା ଆସିବା ପରେ ତଦନ୍ତ ହେବ ବୋଲି ସହିଦ୍ନଗର ଥାନା ପୁଲିସ୍ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, ମିଟୁ ପୋଷ୍ଟାଲ୍ କଲୋନି ପାଖ ବସ୍ତିରେ ରହୁଛି। କିଛି ଦିନ ତଳେ ସତ୍ସଂଘ ବିହାର ନିକଟରେ ଏକ ଟ୍ରକ୍ ଚାଳକଙ୍କୁ ମାଡ଼ ମାରି ଲୁଟ୍ କରିବା ଅଭିଯୋଗରେ ପୁଲିସ୍ ତାକୁ ଗିରଫ କୋର୍ଟ ଚାଲାଣ କରିଥିଲା। କିଛି ଦିନ ତଳେ ସେ ଜେଲ୍ରୁ ଫେରି ପୁଣି ଆରମ୍ଭ କରିଦେଇଛି ଚୋରି ଓ ଲୁଟ୍। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ମିଟୁ ଚୋରି କରିବାକୁ ପହଞ୍ଚି ଥିଲା ଭିଏସ୍ଏସ୍ନଗର ପୋଷ୍ଟାଲ କଲୋନି ତଳ ଛକରେ। ଏହି ସମୟରେ ସେ ଝରକା ପଟେ ଦେଖିଥିଲା ଏକ ରୁମ୍ରେ ଯୁବତୀ ଜଣଙ୍କ ବସିଛନ୍ତି । ସେ ରୁମ୍ ଭିତରକୁ ଯାଇ ତାଙ୍କୁ ବଳତ୍କାର ଉଦ୍ୟମ କରିଥିଲା । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ପାଟି ଶୁଣି ଘର ମାଲିକ ତାକୁ ଗୋଡ଼ାଇ ଧରିବା ସହ ମାଡ଼ ମାରି ଛାଡ଼ି ଦେଇଥିଲେ। ଏହାପରେ ମିଟୁ ଘର ମାଲିକ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା । ରାତି ପ୍ରାୟ ୮ ଟାରେ ୨୦ରୁ ଅଧିକ ଯୁବକ ଖଣ୍ଡା ଓ ବାଡ଼ି ଧରି ସେଠାରେ ପହଞ୍ଚି ଘର ମାଲିକଙ୍କୁ ଖୋଜିଥିଲେ । ଏହି ସମୟରେ ଘର ମାଲିକ ବାହାରକୁ ଆସିବା ଦେଖି ତାଙ୍କୁ ଖଣ୍ଡାରେ ହାଣିବାକୁ ଗୋଡ଼ାଇ ଥିଲେ । ଏହାଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଫୋନ୍ କରିଥିଲେ ।
ସଙ୍ଗେ ସଙ୍ଗେ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଥିଲା । ପୁଲିସକୁ ଦେଖି ମିଟୁ ଓ ତା’ ସାଙ୍ଗମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଏମାନଙ୍କ ଆତଙ୍କରାଜର ଚିତ୍ର ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ପୁଲିସ୍ ସେଠାରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ପଳାଇ ଯାଇଥିଲା । ସେପଟେ ମିଟୁ ଭୟରେ ଘର ମାଲିକ ଓ ଅସଦାଚରଣର ଶିକାର ହୋଇଥିବା ଯୁବତୀ ଥାନାରେ ଏତଲା ଦେବାକୁ ଯାଇନାହାନ୍ତି ।










