କୋଟିପତି କିରାଣି ଘରୁ ମିଳିଲା ଦେଢ଼ କୋଟିର ସମ୍ପତ୍ତି
ଭୁବନେଶ୍ୱର:–ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଭୁବନେଶ୍ୱର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଉଦୟନାଥ ଜେନା । ଭିଜିଲାନ୍ସ ତାଙ୍କ ଭୁବନେଶ୍ୱର ଘର, ଅଫିସ୍, ପୁରୀରେ ଥିବା ଘର, ରାଜନଗର ଏଣ୍ଡୁଳାପୁର ପୈତୃକ ଘର ସହ ମୋଟ ୪ ଟି ଜାଗାରେ ଚଢ଼ଉ କରିଛି । ଏହି ସମୟରେ ତାଙ୍କ ଘରୁ ୧ କୋଟି ୩୨ ଲକ୍ଷ ୨୭ ହଜାର ୪୫୭ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କୁ ଅଟକ ରଖିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ଶ୍ରୀ ଜେନାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଏବରଙ୍ଗ ମୌଜା ପ୍ଳଟ୍ ନମ୍ବର ୩୫୬/୩୧୬୬ରେ ରହିଛି ୨ ମହଲା କୋଠା । ଯାହାର ସରକାରୀ ମୂଲ୍ୟ ୬୬ ଲକ୍ଷ ୯୪ ହଜାର ୮୧୧ ଟଙ୍କା, ପୁରୀରେ ଟୁ-ବିଏଚ୍କେ ଫ୍ଲାଟ୍ ଯାହାର ମୂଲ୍ୟ ୧୨ ଲକ୍ଷ ୭ ହଜାର ଟଙ୍କା, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଏଣ୍ଡୁଳାପୁରରେ ୧ ମହଲା ଘରର ମୂଲ୍ୟ ୯ ଲକ୍ଷ ୧୬ ହଜାର ୮ ଶହ ଟଙ୍କା, ୨୨ ଲକ୍ଷ ୮୯ ହଜାର ୭୨୮ ଟଙ୍କାର ଭୁବନେଶ୍ୱର ଓ ପୁରୀରେ ରହିଛି ୭ ଟି ପ୍ଲଟ୍ । ୮୨ ହଜାର ଟଙ୍କାର ୨ ଟି ବାଇକ୍, ବିଭିନ୍ନ ବ୍ୟାଙ୍କ୍ରେ ରହିଛି ୯ ଲକ୍ଷ ୩୦ ହଜାର ଟଙ୍କା, ୨ ଲକ୍ଷ ୪୭ ହଜାର ୧୦୦ ଟଙ୍କାର ସୁନା, ୮ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ଗୃହ ଉପକରଣ ଓ ନଗଦ ୫୬ ହଜାର ଟଙ୍କା । ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୧ କୋଟି ୩୨ ଲକ୍ଷ ୨୭ ହଜାର ୪୫୭ ଟଙ୍କା । ତା’ଛଡା ସେ ତାଙ୍କ ସମ୍ପକୀୟଙ୍କ ନାଁରେ କାର୍ ଓ ରାଜନଗର ବ୍ଲକ୍ ଏଣ୍ଡୁଳାପୁର, ହାତୀନା ଓ ଗୁପ୍ତି ଅଞ୍ଚଳରେ ସମ୍ପର୍କୀୟଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାରେ ଜମି କିଣିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।