୩ ସହିଦଙ୍କ ପ୍ରତିଶୋଧ ନେଲା ଭାରତୀୟ ସେନା, ଯବାନଙ୍କ ଗୁଳିରେ ୮ ପାକ୍ ସୈନିକ ନିହତ
ଶ୍ରୀନଗର:-ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ଶୁକ୍ରବାର ପୁଣି ପାକିସ୍ତାନ ସେନା ଗୁଳିମାଡ଼ କରିଛି। ଏଲଓସି ପାଖାପାଖି ୩ଟି ସେକ୍ଟରରେ ପାକ୍ ସେନା ଗୁଳିମାଡ଼ କରିବା ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୩ ସାଧାରଣ ଲୋକଙ୍କ ଜୀବନ ଯାଇଛି।
ପାକ୍ ସେନାକୁ ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ପ୍ରତି ଆକ୍ରମଣରେ ୮ ପାକ୍ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ମୃତ୍ୟୁବରଣ କରିଥିବା ସୈନିକଙ୍କ ମଧ୍ୟରୁ ୨-୩ ଏସଏସଜି କମାଣ୍ଡର ସାମିଲ ଅଛନ୍ତି। ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ପାକ୍ ସେନା ଉସୁକାଇବା ପାଇଁ ଗୁଳି ଚାଳନା କରିଥିଲା। ପାକିସ୍ତାନ ଉରିରୁ ଗୁରେଜ ପର୍ଯ୍ୟନ୍ତ ସିଜ୍ଫାୟର ଉଲ୍ଲଂଘନ କରିବା ପରେ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଇଛି।
ପ୍ରଥମେ ପାକିସ୍ତାନ କରିଥିବା ଗୁଳି ମାଡ଼ରେ ଜଣେ ବିଏସଏଫ ଏସଆଇଙ୍କ ସମେତ ୩ ଯବାନ ପ୍ରାଣ ହରାଇଥିଲେ। ୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ବାରମୁଲା ଜିଲ୍ଲାର ହାଜିପୁର ଅଞ୍ଚଳରେ ଗୁଳି ବର୍ଷା ହୋଇଥିଲା। ଏହା ବ୍ୟତୀତ ତଂଗଧାର ସେକ୍ଟର ଓ ଗୁରେଜ ସେସକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମୟରେ ପାକ୍ ସେନ ଗୁଳିମାଡ଼ କରିବା ସହ ମୋର୍ଟାର ମଧ୍ୟ ମାଡ଼ କରିଥିଲା। ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା।