କମିବ ଶୀତ, ହାଲୁକା ବର୍ଷା ହୋଇପାରେ

ଭୁବନେଶ୍ବର:-ବଦଳିଛି ପାଗ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିଛି। ଆସନ୍ତା ୨ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କେତେକ ଜାଗାରେ ହାଲୁକା ବର୍ଷା ହୋଇପାରେ। ଏପଟେ ଶୀତ ପ୍ରକୋପ ମଧ୍ୟ କମିବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସୋମବାର ରାତି ଓ ମଙ୍ଗଳବାର ସକାଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ଅଧିକ ଥିଲା। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬, ଅନୁଗୁଳ ୧୦.୮, ଭବାନୀପାଟଣା ୧୧, ବଲାଙ୍ଗିର ୧୪ ଓ ତାଳଚେର ୧୪.୩ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା।

ମଙ୍ଗଳବାର ପାଗରେ ପରିବର୍ତ୍ତନ ହୋଇଛି। ପୂର୍ବ ଦିଗରୁ ପ୍ରବାହିତ ପବନ ଓ ଉତ୍ତର-ପଶ୍ଚିମରୁ ଆସୁଥିବା ପବନ ସମ୍ମିଶ୍ରଣରେ ମେଘ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ। ବିଶେଷ କରି ଉପକୂଳ ଅଞ୍ଚଳରେ ଆଂଶିକ ମେଘୁଆ ପାଗ ସମ୍ଭାବନା ଅଛି। ମଙ୍ଗଳବାର ଦିନବେଳା ପୁରୀ ସମେତ ଆଉ ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇଛି।ଅନୁମାନ କରାଯାଉଛି, ବୁଧବାର ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି। ଏଭଳି ପାଗ ଯୋଗୁ ଆସନ୍ତା ୨/୩ ଦିନ ରାତି ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ତୁଳନାରେ ପ୍ରାୟ ୩-୪ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ ରାତି ତାପମାତ୍ରା। ଫଳରେ ବୁଧବାର ରାତିରୁ ଥଣ୍ଡା ପ୍ରକୋପ କମିବ। ଶୁକ୍ରବାରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଆକାଶ ମେଘୁମକ୍ତ ହେବା ପରେ ପୁଣି ଧୀରେଧୀରେ ଶୀତ ବଢ଼ିବ।

Leave a Reply

Your email address will not be published. Required fields are marked *