ବିହାର ଜନମତ: ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ହାରିଲେ
ପାଟନା,:-ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ସରିଥିବା ବେଳେ ଏନ୍ଡିଏକୁ ବହୁମତ ମିଳିବା ସ୍ପଷ୍ଟ ହୋଇଯାଇଛି। ହେଲେ ଦିନ ତମାମ ମହାମେଣ୍ଟ ଓ ଏନ୍ଡିଏ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ରାଜ୍ୟର ୨୪୩ ଆସନରୁ ରାତି ୧୧ଟା ସୁଦ୍ଧା ୧୮୩ ଆସନର ଫଳାଫଳ ଘୋଷଣା ହୋଇସାରିଛି। ସେଥିରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍ଡିଏ ୯୦ଟି ଆସନ ଜିତିଥିଲା ବେଳେ ୩୪ଟିରେ ଆଗୁଆ ରହିଛି। ଅନ୍ୟପକ୍ଷରେ ତେଜସ୍ୱୀ ଯାଦବଙ୍କ ମହାମେଣ୍ଟ ୮୬ ଆସନ ହାସଲ କରିଛି ଏବଂ ୨୬ଟିରେ ଆଗୁଆ ରହିଛି।
ଅପରପକ୍ଷେ ବିଜେପି ସହ ସାମିଲ ଥିଲା ବେଳେ ଶତ୍ରୁଘ୍ନ ସିହ୍ନାଙ୍କ ଦବ୍ଦବା କାହିଁରେ କେତେ ଥିଲା। ହେଲେ ଦଳର ହାତ ଛାଡ଼ିବା ପରଠାରୁ ତାଙ୍କୁ ଶନିଦଶା ପଡ଼ିଛି । ବଲିଉଡ୍ ଜଗତରେ ବେଶ୍ ନାଁ କମେଇଥିବା ଶତ୍ରୁଘ୍ନଙ୍କର ମ୍ୟାଜିକ୍ ରାଜନୀତିରେ ଆଉ କାମ ଦେଉନାହିଁ । ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ । ପତ୍ନୀ ପୁନମ ସିହ୍ନା ବି ସେହିବର୍ଷ ରାଜନାଥ ସିଂହଙ୍କ ବିରୋଧରେ ଲଢ଼ି ହାରିଥିଲେ ।
ଏବେ ଶତ୍ରୁଘ୍ନଙ୍କ ପୁଅ ଲବ ସିହ୍ନା କଂଗ୍ରେସ ଟିକେଟରେ ଲଢ଼ି ହାରିଛନ୍ତି । ଲବ ସିହ୍ନା ବାଙ୍କିପୁର ଆସନରୁ ନିର୍ବାଚନ ଲଢ଼ିଥିଲେ । ତାଙ୍କୁ ବିଜେପି ପ୍ରାର୍ଥୀ ନୀତୀନ ନବୀନଙ୍କ ହାତରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ନୀତୀନଙ୍କୁ ୬୫.୧୦% ଭୋଟ ମିଳିଥିବା ବେଳେ ଲବ ସିହ୍ନାଙ୍କୁ ମାତ୍ର ୨୫.୪୪% ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ ପ୍ଲୁରାଲ୍ସର ପୁଷ୍ପମ୍ ପ୍ରିୟା ଚୌଧରୀ ରହିଛନ୍ତି । ଏଥର ନିର୍ବାଚନରେ ପୁଷ୍ପମ୍ ପ୍ରିୟାଙ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ତାଙ୍କୁ ନୋଟାଠାରୁ ବି କମ୍ ଭୋଟ୍ ମିଳିଥିବା ଜଣାପଡ଼ିଛି । ଏହାପରେ ସେ ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନ (ଇଭିଏମ) ଉପରେ ଅଙ୍ଗୁଳି ଉଠାଇଥିଲେ । ଟ୍ୱିଟ୍ କରି ସେ କହିଥିଲେ, ବିହାରରେ ଇଭିଏମ୍କୁ ଏଥର ହ୍ୟାକ୍ କରାଯାଇଛି ।